ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି: ପୁଲିସ- ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ଚାଲିଥିବା ବେଳେ ପୁଲିସ ଲାଠିମାଡ଼ କରିଥିବା ଜଣାଯାଇଛି। ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ବିଧାନସଭା ଘେରାଉ ଲାଗି ସେହି ଆଡ଼କୁ ଯାଉଥିବା ବେଳେ ଯୁବମୋର୍ଚ୍ଚା କର୍ମୀଙ୍କ ସହ ପୁଲିସଙ୍କର ଧସ୍ତାଧସ୍ତି ହୋଇଛି। କିଛି ପୁଲିସ ଲାଠି ମାଡ଼ କରିଥିବାର ସୂଚନା ରହିଛି। ଏହାଫଳରେ କେତେକ ବିଜେପି କର୍ମୀ ଆହତ ହୋଇଥିବା ଜଣାଯାଇଛି। ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲିରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସମେତ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଅଂଶ ଗ୍ରହଣ କରିଛନ୍ତି। ପୁଲିସ କିଛି ବିଜେପି କର୍ମୀଙ୍କୁ ଜୋର କରି ଉଠାଇ ନେଇଥିବା ବେଳେ ଧସ୍ତାଧସ୍ତିରେ ବହୁ ପୁରୁଷ ଓ ମହିଳା କର୍ମୀ ଆହତ ହୋଇଛନ୍ତି।ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କୁ ପୁଲିସ ଉଠାଇନେଇଛି।

ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ ଆଜି ସାରା ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଯୁବମୋର୍ଚ୍ଚାର କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଆସିଛନ୍ତି। ସେମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ କରୁଛନ୍ତି। ଯୁବମୋର୍ଚ୍ଚାର କର୍ମୀମାନେ ଅଣ୍ଡାମାଡ଼ ଓ ପାଣିବୋତଲ କି ଟେକା ମାଡ଼ କରିନାହାନ୍ତି।

ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ପ୍ରୟାସ ଜାରି ରଖିଛି। ଏଣେ କିଛି ପୁଲିସଙ୍କ ଉପରକୁ ଅଣ୍ଡାମାଡ଼ ଓ ପାଣି ବୋତଲ, ଟେକା ମାଡ଼ ହୋଇଥିବା ବି କୁହାଯାଉଛି। ମୋଟାମୋଟି ଭାବେ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଛି।

Spread the love