ରାଜନୈତିକ ଫାଇଦା ପାଇଁ ଦରଦାମ ବୃଦ୍ଧି କଥା କହୁଛି ବିଜେଡି: ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦରଦାମ ବୃଦ୍ଧି କାରଣରୁ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି ପାଇଛି। ଦରଦାମ ତଳ ଉପର ହେବା ସ୍ୱାଭାବିକ। କେନ୍ଦ୍ର ସରକାର ଗରିବମାନଙ୍କୁ ହଇରାଣ କରୁନାହାନ୍ତି, ଦରଦାମ ପୁଣି କମିବ ପୁଣି ବଢିବ, ଏହା ନିରନ୍ତର ଚାଲିଛି। ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଗରିବ ଲୋକଙ୍କ ତଣ୍ଟି ଚିପିବା କଥା ନୁହେଁ । ବିଜୁ ଜନତା ଦଳ ରାଜନୈତିକ ଫାଇଦା ପାଇବା ପାଇଁ ଏଭଳି କହୁଛି।  ଦରଦାମ ବୃଦ୍ଧି ନେଇ ବିଜେଡି ଅଭିଯୋଗର ଭିତ୍ତିଭୂମି ନାହିଁ। ଦରଦାମ ନିୟନ୍ତ୍ରଣ ଲାଗି ସରକାର ଚିନ୍ତା ପ୍ରକଟ କରନ୍ତି ଏବଂ ଯୋଜନା କରନ୍ତି। ଗ୍ୟାସ କିମ୍ବା ପେଟ୍ରୋଲ ଦରବୃଦ୍ଧି ଅନ୍ତର୍ଜାତୀୟ ଦର ପ୍ରଭାବରୁ ହୋଇଥାଏ । ଗ୍ୟାସ ଦର ବୃଦ୍ଧି ଏହା ତାର ପ୍ରତିଫଳନ। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସମୟରେ ମାଗଣା ଚାଉଳ ଦିଆଯାଉଥିଲା। ଯେହେତୁ ଏବେ କରୋନା ନାହିଁ ତାହା ବନ୍ଦ ହୋଇଛି। ଏବଂ ଯୋଜନାଟି ନିର୍ଦ୍ଧିଷ୍ଟ ଅବଧି ପାଇଁ ଦିଆଯାଉଥିଲା। ପ୍ରଧାନମନ୍ତ୍ରୀ ଏବେ ସମ୍ପୂର୍ଣ୍ଣ ମାଗଣା ଚାଉଳ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ଚାଉଳ ଯୋଗାଇ ଦେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବେ କୃପଣତା କରିନାହାନ୍ତି, ଓଡ଼ିଶାକୁ ଚାଉଳ ଦେବାରେ ରେକର୍ଡ କରିଛନ୍ତି।

Spread the love