ତ୍ରିପୁରା, ନାଗାଲାଣ୍ଡରେ ବିଜେପି ସରକାର; ମେଘାଳୟରେ ସ୍ଥିତି ଏବେ ବି ଅସ୍ପଷ୍ଟ

ଅଗରତାଲା : ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ନାଗାଲାଣ୍ଡରେ ବି ବିଜେପି ସରକାର ଗଢିବ । ମାତ୍ର ମେଘାଳୟରେ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି । ସର୍ବଶେଷ ରିପୋର୍ଟ ଅନୁସାରେ ତ୍ରିପୁରାରେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର ଥିବାବେଳେ ବିଜେପି ୩୪ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି । ବିରୋଧୀ ବାମ ଓ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ବିଜୟ ହାସଲ କରିଛନ୍ତି କିମ୍ବା ଆଗୁଆ ଅଛନ୍ତି ।

ନାଗାଲାଣ୍ଡରେ ବି ସ୍ଥିତି ବିଜେପି ସପକ୍ଷରେ ରହିଛି । ରାଜ୍ୟ ବିଧାନସଭାରେ ମୋଟ ୬୦ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର । ବିଜେପି ମେଣ୍ଟ ୩୭ଟି ଆସନରେ ବିଜୟ ହାସଲ କରି ସରକାର ଗଢିବା ନିଶ୍ଚିତ କରିଛି । ରାଜ୍ୟରେ ଏନପିପି ୪ଟି ଆସନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ ।

ଅନ୍ୟପକ୍ଷରେ ମେଘାଳୟରେ କୌଣସି ଗୋଟିଏ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବା ପରି ଲାଗୁନାହିଁ । ତେବେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିପି ୨୭ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି । ବିଜେପି ମାତ୍ର ୨ଟି ଆସନରେ ବିଜୟ ହାସଲ କରିଛି । ରାଜ୍ୟରେ ଏବେ ଏନପିପି ବିଜେପି ମେଣ୍ଟ ସରକାର ଥିଲେ ବି ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି । ଉଭୟ ଦଳ ପୁଣି ମେଣ୍ଟ କଲେ ବି ସରକାର ଗଢିବାକୁ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ୟକ ।

Spread the love