୩୦ ଜିଲ୍ଲାରେ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ
ମନମୋହନ ସାମଲଙ୍କୁ ବିଜେପି ହଠାତ୍ ନୂଆ ସଭାପତି କରିବା ପରେ ଷ୍ଟ୍ରାଟେଜି ବଦଳାଇଛି ବିଜେଡି । ନୂଆ ରଣନୀତି ସହ ଏକାଥରକେ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ବଦଳାଇ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ସହ ପ୍ରସ୍ତୁତିକୁ ଜୋରଦାର କରିଥିବା ନେଇ ସଂକେତ ଦେଇଛନ୍ତି ବିଜେଡି ସଭାପତି । ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ୯ ଜଣ ମନ୍ତ୍ରୀ ଥିବା ବେଳେ କିଛି ପୁରୁଣା ଚେହେରାଙ୍କୁ ବାଦ୍ ଦିଆଯାଇଛି । ମନ୍ତ୍ରୀ ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୂଜାରୀ ଓ ନଳିନୀ ପ୍ରଧାନଙ୍କ ଭଳି ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ଆଉଟ କରାଯାଇଛି । ସେହିଭଳି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏକାଥରକେ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । କିଛି ଏଭଳି ଢଙ୍ଗରେ ୨୦୨୪ ପାଇଁ ବିଜେଡି ନିଜର ବ୍ରିଗେଡ ପ୍ରସ୍ତୁତ କରିଛି ।
ଅନ୍ୟପଟେ ମନମୋହନ ସାମଲ ବିଜେପି ସଭାପତି ଭାବେ ଦାୟିତ୍ୱ ନେବା ପରେ କର୍ମୀଙ୍କୁ ୨୦୨୪ରେ ସରକାର ଗଢିବା ପାଇଁ ଆହ୍ୱାନ ଦେଇ ସାରିଲେଣି । ମନମୋହନଙ୍କ ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ବିଜେଡି ନିଜର ରଣନୀତିରେ ପରିବର୍ତ୍ତନ ଆଣିଥିବା ଚର୍ଚ୍ଚା ହେଉଛି । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ସାଙ୍ଗଠନିକ ସ୍ତରରେ ଏଭଳି ଅଦଳବଦଳ ବିଜେଡିକୁ କେତେ ଫାଇଦା ଦେବ ତାହା ଦେଖିବା ବାକି ରହିଲା ।