ରିୟଲ ଇଷ୍ଟେଟ ପ୍ରକଳ୍ପ ପଞ୍ଜୀକରଣ ଫି ୧୦ ଗୁଣ ବୃଦ୍ଧି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ:  ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟାରି ଅଥରିଟି (ଓରେରା) ପକ୍ଷରୁ ବେଆଇନ ଭାବେ ରିୟଲ ଇଷ୍ଟେଟ ପ୍ରକଳ୍ପ ପଞ୍ଜୀକରଣ ଫି ୧୦ ଗୁଣ ବୃଦ୍ଧି କରାଯାଇଥିବା ଦର୍ଶାଇ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ନୋଟସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ୬ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ‌ଓରେରାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ବିଚାରାଧୀନ ଥିବା ବେଳେ ଓରେରାର ଏ ସଂପର୍କିତ ବିଜ୍ଞପ୍ତି ଅନୁସାରେ ଯଦି କୌଣସି ରିୟଲ ଇଷ୍ଟେଟ ପ୍ରକଳ୍ପ ପାଇଁ ବର୍ଦ୍ଧିତ ଫି ଜମା କରାଯାଏ ତେବେ ଏହି ରାଶିକୁ ସୁଧ ମିଳିବାକୁ ଥିବା ପୃଥକ ବ୍ୟାଙ୍କ ଖାତାରେ ଜମା କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ଚୂଡାନ୍ତ ରାୟ ଉପରେ ଏହି ଫି ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତିର ଭବିଷ୍ୟତ ନିର୍ଭର କରିବ ବୋଲି କହିଛନ୍ତି ହାଇକୋର୍ଟ । ଜୁଲାଇ ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। କନଫେ‌ଡେରେସନ ଅଫ୍ ରିୟଲ ଇ‌େଷ୍ଟଟ ଡେଭେଲପର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (କ୍ରେଡାଇ) ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୮ଟି ବା ଏହା ଠାରୁ ଅଧିକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ପଞ୍ଜୀକରଣ ଫି ପ୍ରତି ବର୍ଗ ମିଟର ପିଛା ୧୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଫି ବୃଦ୍ଧି ସଂପର୍କିକ ସଂ‌େଶାଧିତ ନିୟମ ନେଇ ୨୦୨୨, ଜୁଲାଇ ୨୮ରେ ଓରେରା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ଦାୟର ମାମଲାର ଶୁଣାଣି ସମୟରେ କ୍ରେଡାଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ‌ ଯେ ଓରେରାର ଫି ବୃଦ୍ଧି ସଂପର୍କିତ ସଂ‌େଶାଧିତ ନିୟମ ଜାରି କରିବାର କ୍ଷମତା ନାହିଁ।  ରେରା ଆଇନ ଅନୁସାରେ କେବଳ ଏହି କ୍ଷମତା ରାଜ୍ୟ ସରକାରଙ୍କ ନିକଟରେ ରହିଛି। ନିୟମ ଉଲ୍ଲଂଘନରେ  ଓରେରା ନିୟମରେ ସଂଶୋଧନ କରି ଫି ୧୦ ଗୁଣ ବୃଦ୍ଧି କରିଛି। ଭାରତର ଅନ୍ୟ ସ୍ଥାନରେ ଥିବା ଫି ତୁଳନାରେ ଓଡ଼ିଶାରେ ଏ ସଂପର୍କିତ ଫି ୧୦ ଗୁଣ ବୃଦ୍ଧି କରି ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଫି ବୃଦ୍ଧି ଦ୍ବାରା ବିଲ୍ଡରଙ୍କ ଅପେକ୍ଷା ଆପର୍ଟମେଣ୍ଟ ଖରିଦ କରୁଥିବା ଲୋକ ଅଧିକ ପ୍ରଭାବିତ ହେଉଛନ୍ତି। ପରୋକ୍ଷରେ ବର୍ଦ୍ଧିତ ଫି ଘର କିଣୁଥିବା ଲୋକକୁ ଦେବାକୁ ପଡ଼ିବ। ଓରେରା ପକ୍ଷରୁ ନିୟମରେ ସଂ‌େଶାଧନ କରି ଫି ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅସାମ୍ବିଧାନିକ ଓ ସଂପୂର୍ଣ୍ଣ ଭାବେ କ୍ଷମତା ବହିର୍ଭୂତ କାର୍ଯ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ।

Spread the love