ଝାରସୁଗୁଡ଼ା ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା

ଭୁବନେଶ୍ୱର: ଝାରସୁଗୁଡା ଉପର୍ନିବାଚନ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି। ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରିବା ସହିତ ଆଗାମୀ ଉପର୍ନିବାଚନରେ ଝାରସୁଗୁଡାବାସୀଙ୍କର ସେ ପ୍ରଥମ ପସନ୍ଦ ହେବେ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଝାରସୁଗୁଡା ପ୍ରତି କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ମହାନଦୀ କୂଳରେ ଥିଲେ ମଧ୍ୟ ଏଠାକାର ଲୋକେ ସ୍ୱଚ୍ଛ ପାନୀୟଜଳ ମୁନ୍ଦାଏ ପାଇପାରୁ ନାହାନ୍ତି।

ସେହିଭଳି ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆ ଯୁବକ ଯୁବତୀଙ୍କୁ ଅଣଦେଖା କରାଯାଉଛି। ତେଣୁ ରାଜ୍ୟରେ ସର୍ବଦା ଯୁବଗୋଷ୍ଠି ଓ ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଉଥିବା କଳିଙ୍ଗସେନା ପ୍ରତି ଲୋକଙ୍କ ସମର୍ଥନ ଅଧିକ ରହିବ ବୋଲି ଶ୍ରୀ ପଟ୍ଟନାୟକ ଜୋର ଦେଇ କହିଛନ୍ତି। କଳିଙ୍ଗସେନା ଆଜି ତାହାର ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଦୁଇ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ବିଜେଡ଼ି ତାହାର ପ୍ରାର୍ଥୀ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ନିକଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଆସନ୍ତା ଏପ୍ରିଲ ୧୩ ତାରିଖରେ  ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

Spread the love