ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ ହୋଇ ୧୦୦ ଅସୁସ୍ଥ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ ହୋଇ ୧୦୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ପଣପଣାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଏହି ଅଭାବନୀୟ ଘଟଣା ଘଟିଛି। ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍‌ ଯୋଗୁ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ସମସ୍ତେ ମହିଳା ଓ ଯୁବତୀ ବୋଲି ଜଣାପଡ଼ିଛି। ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଶ୍ରମିକମାନେ କାମ କରୁଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳେ ହଠାତ୍‌ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହା ଦେଖି କେତେକ ଶ୍ରମିକ ପଳାଇ ଆସିଥିଲେ। ଯେଉଁମାନେ ଫ୍ୟାକ୍ଟ୍ରି ଭିତରୁ ବାହାରି ପାରିନଥିଲେ, ସେମାନେ ସଜ୍ଞା ହରାଇ ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ୭୦ରୁ ୮୦ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ହୋଇଥିବା କର୍ମଚାରୀମାନେ ମହିଳା ଓ ଯୁବତୀ। ଅମ୍ଳଜାନ ଅଭାବରୁ ଏହି କର୍ମଚାରୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା, ତାହା ଜଣାପଡ଼ି ନାହିଁ। ସେପଟେ  ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ଯୁଗଳ କିଶୋର ମେଡ଼ିକାଲ୍‌ରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛନ୍ତି।

Spread the love