ଆଇପିଏଲ: ଚେନ୍ନାଇ ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୨ତମ ମ୍ୟାଚରେ ଚେନ୍ନାଇ ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସର ୧୫୮ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୮.୧ ଓଭରରେ ପୁରା କରିଛି।

ଚେନ୍ନାଇ ଦଳ ପକ୍ଷରୁ ଓପନର ଡେଭନ କନୱେ ଓ ଋତୁରାଜ ଗାଇକୱାଡ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ପ୍ରଥମ ଓଭରର ଚତୁର୍ଥ ବଲରେ ଡେଭନ ଜାସନ ବେହେରନଡ୍ରଫଙ୍କ ଦ୍ବାରା ବୋଲ୍ଡ ହୋଇ ଯାଇଥିଲେ। ପରେ ଆଜିଙ୍କ୍ୟା ରାହେନ ଆସି ବ୍ୟାଟିଂ ସମ୍ଭାଳିଥିଲେ। ଋତୁରାଜ ଓ ଆଜିଙ୍କ୍ୟା ୭୫ ରନର ଭାଗିଦାରୀ କରିଥିଲେ। ଆଜିଙ୍କ୍ୟା ବ୍ୟକ୍ତିଗତ ଭାବେ ୬୧ ରନ କରିଥିବାବେଳେ ପିୟୁସ ଚାୱାଲାଙ୍କ ଏକ ବଲକୁ ବୁଝି ନପାରି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ପରେ ଶିଭମ ଦୁବେ ଆସି ୨୮ ରନ କରିଥିବାବେଳେ କୁମାର କାର୍ତ୍ତିକେୟଙ୍କ ବଲରେ ଆଉଟ ହୋଇଥିଲେ। ପରେ ଅମ୍ଭାତି ରାୟୁଡୁ ବ୍ୟାଟିଂ କରିବାକୁ ଆସିଥିଲେ। ସେ ବ୍ୟକ୍ତିଗତ ଭାବେ ୨୦ ରନ କରିଥିବାବେଳେ ଋତୁରାଜ ଶେଷ ପର୍ଯ୍ୟନ୍ତ ରହି ୪୦ ରନ୍‌ କରି ଖେଳକୁ ଜିତାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ଜାସନ ବେହେରେନଡ୍ରଫ ଗୋଟିଏ, ପିୟୁସ ଚାୱାଲା ଗୋଟିଏ ଓ କୁମାର କାର୍ତ୍ତିକେୟ ଗୋଟିଏ ୱିକେଟ ନେଇଥିଲେ।

ଚେନ୍ନାଇ ଟସ ଜିତି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ ଓ ପ୍ରଥମ ଓ୍ବିକେଟ ଯୋଡ଼ିରେ ୩୮ରନ ଯୋଗ କରିଥିଲେ । ରୋହିତ ୨୧ରନ ଓ ଇଶାନ କିଷନ ୩୮ ରନ କରି ଆଉଟ ହୋଇଥିଲେ । ତେବେ ଦଳର ମଧ୍ୟକ୍ରମ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲା । କାମେରନ ଗ୍ରୀନ ୧୨ ରନ ଓ ସୂର୍ଯ୍ୟକୁମାର ଯାଦବ ୧ ରନ କରି ଆଉଟ ହୋଇଥିଲେ । ଫଳରେ ଦଳର ରନଗତି ଧିମେଇ ଯାଇଥିଲା । ତେବେ ତିଲକ ବର୍ମାଙ୍କ ୨୨ରନ, ଟିମ ଡେଭିଡଙ୍କ ୩୧ ରନ  ଓ ହ୍ରିତିକ୍ ସୋକିନଙ୍କ ୧୮ରନ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ ରନ କରିଥିଲା ।

ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ସାଣ୍ଟନର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସିସାଣ୍ଡା ମାଗଲା ୧ଟି ଓ୍ବିକେଟ ନେଇଥିଲେ ।

Spread the love