ରାଜ୍ୟରେ ନାହିଁ ଅତ୍ୟାଧୁନିକ ପର୍ଯ୍ୟଟନ ସୁବିଧା

ଭୁବନେଶ୍ବର : ସ୍କୁବା ଡାଇଭିଂ ହେଉ ବା ପାରାଗ୍ଲାଇଡିଂ, ବିଳାସପୂର୍ଣ୍ଣ କ୍ରୁଜ୍‌ରେ ରାତ୍ରିଯାପନ ବା ଦୁଃସାହସିକ ନୌଯାତ୍ରା ଅବା ବୁଞ୍ଜି ଜମ୍ପିଂ…। ଗୋଆର ପ୍ରଶସ୍ତ ସମୁଦ୍ର ବେଳାଭୂମି ଓ ବିଭିନ୍ନ ପର୍ଯ୍ୟଟନସ୍ଥଳ ସହ ଏହି ସବୁ ଅତ୍ୟାଧୁନିକ କ୍ରୀଡ଼ା ପର୍ଯ୍ୟଟକଙ୍କୁ ଗୋଆରେ ବେଶ୍‌ କିଛି ଦିନ ବାନ୍ଧି ରଖେ। ବାରମ୍ବାର ଗୋଆ ଯିବାକୁ ବାଧ୍ୟ ବି କରେ। ଓଡ଼ିଶାର ପୁରୀ, ଗୋପାଳପୁର, କେନ୍ଦ୍ରାପଡ଼ା, ବା‌ଲେଶ୍ବର ଆଦି ଅଞ୍ଚଳରେ ସୁଦୀର୍ଘ ବେଳାଭୂମି ରହିଛି। କିନ୍ତୁ ଆମେ ଆମ ସମୁଦ୍ର କୂଳକୁ ସେହିଭଳି ବିକଶିତ କରିପାରିଲେ ନାହିଁ। ସମୁଦ୍ର ଓ ପୁରୀ ପ୍ରତି ‌ପର୍ଯ୍ୟଟକଙ୍କ ଆକର୍ଷଣ ରହିଥିବା ବେଳେ ଏଠାରେ କୌଣସି ଅତ୍ୟାଧୁନିକ ଜଳକ୍ରୀଡ଼ାର ସୁବିଧା ନ ଥିବାରୁ ଓଡ଼ିଶା ପର୍ଯ୍ୟଟନର ଏହା ଏକ ବଡ଼ ଅଭାବବୋଧ ପାଲଟିଛି। ପୁରୀରେ ପର୍ଯ୍ୟଟକଙ୍କୁ ୨ ଦିନ ବାନ୍ଧି ରଖିବା ପାଇଁ ଆମ ପାଖରେ ଏଯାଏ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ଶ୍ରୀମନ୍ଦିର ଓ ସମୁଦ୍ର ବୁଲିବା ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ ବା ହସ୍ତତନ୍ତ, ହସ୍ତଶିଳ୍ପ ଓ ଓଡ଼ିଶା କାରିଗରୀକୁ ନେଇ ବିଶାଳ ସପିଂ ମଲ୍‌ ମଧ୍ୟ ଆମ ପାଖରେ ନାହିଁ।

ହାଇଦ୍ରାବାଦ୍‌ର ରାମୋଜୀ ଫିଲ୍ମ ସିଟି ସହ ସ୍ନୋ ୱାର୍ଲ୍ଡ, ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ, ଥିମ୍‌ ପାର୍କ ଓ ହିଡେନ୍‌ କ୍ୟା‌ଷ୍ଟେଲ ଡେ ଆଉଟ୍‌ ଭଳି ବିଭିନ୍ନ ଅତ୍ୟାଧୁନିକ ପର୍ଯ୍ୟଟନ ହାଇଦ୍ରାବାଦ୍‌ ସହରକୁ ଏକ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳ ଭାବେ ଉଭା କରିଛି। ରାଜଧାନୀ ଭୁବନେଶ୍ବର‌ର ନିକୋ ପାର୍କ ସହରକୁ ଏକ ଅତ୍ୟାଧୁନିକ ପର୍ଯ୍ୟଟନର ସ୍ପର୍ଶ ଦେଉଥିବା ବେଳେ ଏହା ପର୍ଯ୍ୟଟକଙ୍କ କ୍ଷୁଧା କିଛି ମାତ୍ରାରେ ମେଣ୍ଟାଇ ପାରୁଥିଲା। କିନ୍ତୁ ୨୦୧୯ ମସିହା‌ରୁ ଏହି ପାର୍କ ବନ୍ଦ ହୋଇପଡ଼ିଛି। ଓଡ଼ିଶାରେ ବରଫାଞ୍ଚଳ ନାହିଁ। ହେଲେ ହାଇଦ୍ରାବାଦ୍‌ ଭଳି ରାଜଧାନୀରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଏକ ସ୍ନୋ ୱାର୍ଲ୍ଡ ପ୍ରସ୍ତୁତ କରାଯାଇପାରିନାହିଁ। ଏପଟେ ଆଡ୍‌ଭେଞ୍ଜର୍‌ ପାର୍କ, ଆମ୍ୟୁଜ୍‌ମେଣ୍ଟ ପାର୍କ ବା ରାଜଧାନୀକୁ ଘେରି ରହିଥିବା ଘଞ୍ଚ ଜଙ୍ଗଲକୁ ନେଇ ଟ୍ରେକିଂ, ରକ୍‌ କ୍ଲାଇବିଂ ଆଦି ପର୍ଯ୍ୟଟନୀ କାର୍ଯ୍ୟକଳାପ ବିକଶିତ ହୋଇନାହିଁ। ଘଞ୍ଚ ଅରଣ୍ୟ, ପାହାଡ଼ ଓ ନଦୀ ଘେରରେ ରାଜଧାନୀ ରହିଥିଲେ ବି ଏସବୁକୁ ନେଇ ପର୍ଯ୍ୟଟନ ବିକାଶରେ ଓଡ଼ିଶା ସମ୍ପୂର୍ଣ୍ଣ ବିଫଳ ହୋଇଛି। କେବଳ ଯାହା ମନ୍ଦିରମାଳିନୀ ସହର କହି ସମସ୍ତେ ନିଜ ମନକୁ ବୁଝାଇ ଦେଉଛନ୍ତି ବୋଲି ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ବ୍ୟକ୍ତିମାନେ ମତ ଦେଇଛନ୍ତି।

କେରଳ’ ଦେଶର ପର୍ଯ୍ୟଟନ ସ୍ଥଳଗୁଡ଼ିକ ଭିତରେ ସର୍ବାଗ୍ରେ ରହିଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପାରମ୍ପରିକ ପର୍ଯ୍ୟଟନ ରହିଛି। ତଥାପି ପର୍ଯ୍ୟଟକଙ୍କୁ ବାନ୍ଧି ରଖିବା ଓ ଖୁବ୍‌ ‌ମନୋରଞ୍ଜନର ଖୋରାଖ୍‌ ଯୋଗାଇବା ପାଇଁ ଏଠାରେ ଥିବା ନଦୀ ଓ ବିସ୍ତୃତ ବନାନୀଗୁଡ଼ିକର ସୁବିନିଯୋଗ କରାଯାଇଛି। ନଦୀ ଭିତରେ ବିଭିନ୍ନ କ୍ରୀଡ଼ା ଯେମିତିକି, ‌ବାଉଁଶ ନୌକାରେ ଯାତ୍ରା( ବାମ୍ବୋ ରାଫ୍ଟିଂ), କାୟାକିଂ (ଏକ ସରୁ ଡଙ୍ଗାରେ ଦୁଇ ପଟେ ଆହୁଲା ଥିବା କାତ ମାରି ନୌଯାତ୍ରା), ସ୍କୁବା ଡାଇଭିଂ, ପାରାସେଲିଂ, ବୋଟିଂ, ଫିସିଂ ଓ ହାତୀ ଗାଧୁଆ ଆଦି ପର୍ଯ୍ୟଟନ ସୁବିଧା ରହିଛି। ସେହିଭଳି ବିସ୍ତୃତ ବନାନୀର ମଜା ଉଠାଇବା ପାଇଁ ପାହାଡ଼ ଚଢ଼ା, ନେଚର୍‌ ୱାକ୍‌, ଗଛ ଉପରେ ଥିବା ଘରେ ରହଣୀ, ଜଙ୍ଗଲ ମଧ୍ୟରେ ସାଇକେଲ ଚଲାଇବା ଓ ଶିବିର ସୁବିଧା ଆଦି ଉପଲବ୍ଧ ହେଉଛି। ଏହି ସବୁରେ ପର୍ଯ୍ୟଟକଙ୍କ ସମସ୍ତ ସୁବିଧାସୁଯୋଗ ସହ ସୁରକ୍ଷାର ବି ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଉଛି। ଏଥିସହ କାରାଭାନ୍‌ ପର୍ଯ୍ୟଟନରେ କେରଳ ବହୁ ସଫଳତା ପାଇଥିବା ବେଳେ ଗତ ୫ ବର୍ଷ ହେଲା ଓଡ଼ିଶାରେ କାରାଭାନ୍‌ ପର୍ଯ୍ୟଟନ ଯୋଜନାରେ ହିଁ ସୀମିତ।ଓଡ଼ିଶାରେ ମହାନଦୀ, ଋଷିକୂଲ୍ୟାଠାରୁ ଆରମ୍ଭ କରି ବୁଢ଼ାବଳଙ୍ଗ, ସୂବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ନାଗାବଳୀ ଆଦି ବହୁ ନଦୀ ରହିଛି। ନଦୀରେ ପରିପୂର୍ଣ୍ଣା ଓଡ଼ିଶା ସବୁବେଳେ ନଦୀର ବିଶାଳ ରୂପ ସହ୍ୟ କରୁଛି। ପ୍ରତିବର୍ଷ ନଦୀରେ ବନ୍ୟା ଆସି ଶହ ଶହ ଘର ଓ ଧନଜୀବନ ଉଜାଡ଼ି ଦେଉଛି। କିନ୍ତୁ ନଦୀକୁ ନେଇ ଆମେ କିଛି ସଦୁପଯୋଗ କରିପାରୁ ନାହୁଁ। ନା ଜଳକ୍ରୀଡ଼ାର ବିକାଶ କରାଯାଉଛି ନା ଜଳକ୍ରୀଡ଼ା ନାମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି କିଛି ଠୋସ୍ କାର୍ଯ୍ୟକ୍ରମ ସଂପର୍କରେ ସରକାର କହୁଛନ୍ତି।

ଓଡ଼ିଶ‌ାରେ ଦେଓମାଳି ଭଳି ପର୍ବତମାଳା ରହିଛି। ପର୍ଯ୍ୟଟନ ପାଇଁ ସେଠାରେ ପ୍ରକୃତି ଭରପୂର ଉପାଦାନ ଦେଇଛି। କିନ୍ତୁ ଦେଓମାଳି ଉପରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ କିମ୍ବା ଜଙ୍ଗଲ ଓ ପରି‌ବେଶ ବିଭାଗର ସୁନଜର ପଡ଼ିପାରିଲାନାହିଁ। ସେଠାରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହେଉ ନଥିବାରୁ ସେଠାକୁ ଯେତିକି ପର୍ଯ୍ୟଟକ ଯିବା କଥା ଯାଉନାହାନ୍ତି। ପର୍ଯ୍ୟଟନ ବିଭାଗ ଏ ସବୁ ଦିଗ ପ୍ରତି କାହିଁକି ଦୃଷ୍ଟି ଦେଉନି ବୋଲି ପ୍ରଶ୍ନ ଉଠୁଛି।

Spread the love