ଇଣ୍ଡୋନେସିଆରେ ୭ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଜାକାର୍ତ୍ତା : ଇଣ୍ଡୋନେସିଆର ମୁଖ୍ୟ ଦ୍ବୀପ ଜାଭା ଓ ପର୍ଯ୍ୟଟନସ୍ଥଳୀ ବାଲିରେ ୭ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ପରେ ଇଣ୍ଡୋନେସିଆରେ ଆତଙ୍କ ଖେଳିଯାଇଛି, କିନ୍ତୁ ଧନଜୀବନହାନୀର କୌଣସି ସୂଚନା ମିଳିନାହିଁ ।ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭ ମାପ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ପୂର୍ବ ଜାଭାର ଟବାନ ସହରଠାରୁ ୯୬.୫ କିଲୋମିଟର ଉତ୍ତରରେ ଥିଲା । ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୫୯୪ କିମି ଗଭୀରତାରେ ଥିଲା । ଅନ୍ୟପକ୍ଷରେ ଇଣ୍ଡୋନେସିଆ ଅଧିକାରୀମାନେ କହିଛନ୍ତି ଯେ ଏହି ଭୂମିକମ୍ପର ତୀବ୍ରତା ୬.୬ ଥିଲା । କିନ୍ତୁ ଏହା ଯୋଗୁଁ ସୁନାମୀର କୌଣସି ଆଶଙ୍କା ନାହିଁ । ଏହା ସତ୍ତ୍ବେ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । କାରଣ ଏହି ବଡ଼ଧରଣର ଭୂମିକମ୍ପ ପରେ ଆଫଟର ସକ୍ ( ଭୂମିକମ୍ପ ପରେ ଆସୁଥିବା ଭୂମିକମ୍ପ) ଆସିବାର ଆଶଙ୍କା ରହିଛି ।

ସୋସିଆଲ ମିଡିଆରେ ପ୍ରସାରିତ କେତେକ ଭିଡିଓରେ ଦେଖାଯାଉଛି ଯେ ଏହି ଭୂମିକମ୍ପ ପରେ କେନ୍ଦ୍ରୀୟ ଜାଭା, ୟୋଗାର୍ତ୍ତା, ବାଲି ର ଲୋକମାନେ ବାହାରକୁ ଆସିବା ସହ ଆତଙ୍କିତ ହୋଇଯାଉଛନ୍ତି । ଏହା ସହିତ ଘର ଥରିବା ଦେଖାଯାଉଛି । ଇଣ୍ଡୋନେସିଆରେ କେତେକ ସକ୍ରିୟ ଆଗ୍ନେୟଗିରି ଥିବାରୁ ଏଠାରେ ଭୂମିକମ୍ପ ଏକ ସାଧାରଣ କଥା ଭାବେ ପରିଗଣିତ ହୋଇଥାଏ । ଏହା ସତ୍ତ୍ବେ ବଡ଼ ଭୂମିକମ୍ପ ଆସିଲେ ସେଠାରେ ସୁନାମୀ ଆଶଙ୍କା ରହିଥାଏ ।

Spread the love