କିଟ୍‌ରେ ୱାଇ-୨୦ର ମିଡିଆ ଅଧିବେଶନ, ପରିବର୍ତ୍ତନର ନେତୃତ୍ୱ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ବିଷୟବସ୍ତୁ ଉପରେ ଏକ ମିଡିଆ ଅଧିବେଶନ ହେଲା ଅନୁଷ୍ଠିତ

ପରିବର୍ତ୍ତନ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ନିମନ୍ତେ ଯୁବଶକ୍ତିର କ୍ଷମତା ରହିଛି। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି। କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୟୁଥ-୨୦ କନ୍‌ସେଲ୍ଟେସନର ଉଦଯାପନୀ ଦିବସରେ, ଯୁବଶକ୍ତି : ପରିବର୍ତ୍ତନର ନେତୃତ୍ୱ ଓ ଏକ ସମୃଦ୍ଧ ବିଶ୍ୱ ଗଠନ ବିଷୟବସ୍ତୁ ଉପରେ ଏକ ମିଡିଆ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ମିଡିଆ ଅଧିବେଶନରେ ଦୈନିକ ସମାଜର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକାର ନିରଞ୍ଜନ ରଥ, ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲା, ଓଡ଼ିଶା ରାଜ୍ୟ ସୂଚନା ଆୟୁକ୍ତ ସୁଶାନ୍ତ ମହାନ୍ତି ଏବଂ କୋଲକାତାସ୍ଥିତ ସତ୍ୟଜିତ୍‌ ରାୟ ଫିଲ୍ମ ଏବଂ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଲୋଚନଚକ୍ରରେ ବକ୍ତତା ପ୍ରଦାନ କରିଥିଲେ।

ସାମଗ୍ରିକ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଯୁବଗୋଷ୍ଠୀଙ୍କୁ ଦିଗ୍‌ଦର୍ଶନ ଦିଆଯାଇପାରିଲେ ନିକଟ ଭବିଷ୍ୟତରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ଏକ ଶକ୍ତିଶାଳୀ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇପାରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ସମାଜ ସମ୍ପାଦକ ନିରଞ୍ଜନ ରଥ କହିଥିଲେ, ଯୁବକମାନଙ୍କ ମଧ୍ୟରେ ଜାତୀୟତାବୋଧ ଜାଗ୍ରତ କରାଯାଇପାରିଲେ ସେମାନେ ଦେଶ ଗଠନରେ ଅଧିକ ଦାୟିତ୍ୱବାନ୍‌ ଓ ଦକ୍ଷତାର ସହ କାର୍ଯ୍ୟ କରିପାରିବେ। ବୟସ ସହିତ ଯୁବକତ୍ୱର କୌଣସି ସମ୍ପର୍କ ନାହିଁ। ବର୍ତ୍ତମାନର ପିଢି ନିଜେ କିପରି ଜ୍ଞାନ ଆହରଣ ଓ ଅଧିକ ଶିଖି ପାରିବେ ସେଥିପାଇଁ ଅନ୍ୟମାନଙ୍କଠୁ ସେମାନଙ୍କ ଚିନ୍ତାଧାରା ଓ ମତାମତ ଜାଣିବା ଆବଶ୍ୟକ ବୋଲି ତଥାଗତ ସତପଥୀ କହିଥିଲେ। ଏକ ସୁନ୍ଦର ଭବିଷ୍ୟତ ପାଇଁ ବିଶ୍ୱ ନାଗରିକ ଗଢି ତୋଳିବାରେ ଗଣମାଧ୍ୟମ ଗଠନ ମୂଳକ ସାମ୍ବାଦିକତା ଦିଗରେ କାର୍ଯ୍ୟକରିବା ଉଚିତ ବୋଲି କହିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲା କହିଥିଲେ ଆମର ଯୁବଗୋଷ୍ଠୀ ଆମ ରାଷ୍ଟ୍ରର ଅତୀତ, ସଭ୍ୟତା ଓ ଲୋକମାନଙ୍କ ବିଷୟରେ ଜାଣିବା ଆବଶ୍ୟକ। ଫଳରେ ସେମାନେ ନିଜକୁ ଆମ ଦେଶ ଭାରତର ନାଗରିକ ଭାବେ ଗୌରବ ଅନୁଭବ କରିପାରିବେ ବୋଲି ସେ କହିଥିଲେ।

ସୂଚନା ଆୟୁକ୍ତ ସୁଶାନ୍ତ ମହାନ୍ତି କହିଲେ, ନୂତନ ପିଢି ସମୟର ମୂଲ୍ୟ, ସମୟାନୁବର୍ତ୍ତିତା, ଶୃଙ୍ଖଳା, କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରିବା, ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବା ସହ ବିନା ଭୟରେ ନିଜ ଲକ୍ଷ୍ୟପଥରେ ଆଗେଇଯିବା ଆବଶ୍ୟକ। ଯବକମାନେ ସବୁବେଳେ ସ୍ୱପ୍ନ ଦେଖିଥାନ୍ତି। ସେମାନଙ୍କ ନିକଟରେ ଅନେକ ପ୍ରକାର ନୂଆ ନୂଆ ଚିନ୍ତାଧାରା ରହିଛି। ସେମାନେ ଏକ ସୁନ୍ଦର ଓ ସମୃଦ୍ଧ ବିଶ୍ୱ କଳ୍ପନା କରିପାରିବେ ବୋଲି ହିଂମାଶୁ ଶେଖର ଖଟୁଆ କହିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କହିଥିଲେ ଭାରତରେ ଜି-୨୦ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଯୁବଗୋଷ୍ଠୀଙ୍କ ଭୂମିକା ରହିଛି। ଦେଶ ବିକାଶ କାର୍ଯ୍ୟକ୍ରମର ଯୋଜନା, ସମନ୍ଵୟ, କ୍ରୀଡ଼ାର ବିକାଶ, ସଶକ୍ତିକରଣ, ସମାନତା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଆଦି କ୍ଷେତ୍ରରେ ଯୁବଶକ୍ତିକୁ ଗୁରୁତ୍ୱ ଦେବା ଆବଶ୍ୟକ। ଏଥିପାଇଁ ଶିକ୍ଷା ଏକ ମୌଳିକ ଆବଶ୍ୟକତା ବୋଲି ସେ କହିଥିଲେ। ଏହି ଅବସରରେ ୱାଇ-୨୦ କନସନଲଟେସନରେ ଯୋଗଦେବାକୁ ଆସିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love