ବଜାରରେ ଚାର୍ ମଗଜ ଅମୂଲ ମୂଲ: ୩ ମାସରେ ମୂଲ୍ୟ ବଢ଼ିଲାଣି ତିନି ଗୁଣ

କଟକ : ତରକାରୀକୁ ଅଧିକ ସ୍ବାଦିଷ୍ଟ କରିବାକୁ ବ୍ୟବହାର ହେଉଥିବା ଚାର୍ ମଗଜର ମୂଲ୍ୟ ତିନି ଗୁଣ ବଢ଼ିଯାଇଛି। କେଜି ପିଛା ୧୫୦ରୁ ଏବେ ୪୮୦ ଛୁଇଁଲାଣି। ବିଦେଶୀ ଚାର୍ ମଗଜ ଆମଦାନୀ ଉପରେ ଅଙ୍କୁଶ ଲାଗିଥିବା ବେଳେ ଏବେ ଭାରତରେ ଫସଲ ଉଜୁଡ଼ିଯାଇଛି। ଆସନ୍ତା ମାସରେ ବିବାହ ଋତୁ ଥିବାରୁ ଏବେ ସ୍ଥିତି ଏଭଳି ହେଲାଣି ଯେ ଏହାର ମୂଲ୍ୟ ୫୩୦ ଛୁଇଁବା ନେଇ ମାଲଗୋଦାମ ବ୍ୟବସାୟୀମାନେ ଏବେଠାରୁ ଆଶଙ୍କା କଲେଣି। ଏଭଳି ନିଅଣ୍ଟିଆ ଯୋଗାଣ ଦ୍ବାରା କଳାବଜାରି ହେବା ସହିତ ମୂଲ୍ୟ ବୃଦ୍ଧି ପାଇଁ ବାଟ ଖୋଲିବା ପ୍ରସଙ୍ଗକୁ ହୁଏତ ଏଡ଼ାଇ ଦିଆଯାଇ ନପାରେ।

ସୂଚନା ଅନୁଯାୟୀ, ଚାର୍ ମଗଜ ମାଲଗୋଦାମକୁ ମୁଖ୍ୟତଃ ସୁଦାନ ଏବଂ ଦେଶ ଭିତରୁ ରାଜସ୍ଥାନରୁ ଆସିଥାଏ। ମାସକୁ ହାରାହାରି ୮୦ ଟନ୍ ମାଲ୍ ମାଲଗୋଦାମକୁ ଆସିଥାଏ। ଅକ୍ଟୋବର ସମୟରେ ଏହି ଫସଲ ଅମଳ ହୋଇଥାଏ। କିନ୍ତୁ ୨୦୨୨ ବର୍ଷରେ ରାଜସ୍ଥାନରେ ଫସଲ ନଷ୍ଟ ହୋଇଥିବାରୁ ଅମଳ ହୋଇପାରିନାହିଁ। ଅନ୍ୟପଟେ କେନ୍ଦ୍ର ସରକାର ଦେଶର ଚାର୍ ମଗଜ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସୁଦାନରୁ ଆମଦାନୀ ଉପରେ ଅଙ୍କୁଶ ଲଗାଇଥିଲେ। ୨୦୨୨ ଅକ୍ଟୋବର ବେଳକୁ ଚାର ମଗଜ କେଜି ପିଛା ୧୫୦ ଟଙ୍କା ଥିଲା। ଗୋଟିଏ ପଟେ ରାଜସ୍ଥାନରେ ଫସଲ ଉତ୍ପାଦନ ପ୍ରଭାବିତ ହେବା ଏବଂ ବିଦେଶରୁ ଆମଦାନୀ ଉପରେ ଅଙ୍କୁଶ ଲାଗିବା ଘଟଣା ମାଲଗୋଦାମ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିଛି। ଗଲା ମାର୍ଚ୍ଚ ୧୮ ତାରିଖରେ କେଜି ପିଛା ୩୭୦ ଟଙ୍କା ଥିବା ବେଳେ ଏବେ ୪୮୦ ଟଙ୍କାରେ ପହଞ୍ଚିଛି। ରାଜସ୍ଥାନର ଚାର୍ ମଗଜ ସୁଦାନ୍ ତୁଳନାରେ ୧୦ ଟଙ୍କା କମ୍ ଯଦିଓ ରହିଛି, ଏବେ ରାଜସ୍ଥାନରୁ ପର୍ଯ୍ୟାପ୍ତ ମାଲ୍ ଆସି ପାରୁନଥିବାରୁ ବଜାର କ୍ରମାଗତ ଭାବେ ପ୍ରଭାବିତ ହେବାରେ ଲାଗିଛି। ବିବାହ ଓ ହୋଟେଲ୍ ଶିଳ୍ପରେ ଚାର୍ ମଗଜର ଚାହିଦା ଯଦିଓ ରହିଛି ବର୍ତ୍ତମାନ ବିବାହ ଋତୁ ନଥାଇ ବି ଚାର୍ ମଗଜ କେଜି ୪୮୦ ଟଙ୍କା ଛୁଇଁଥିବା ବେଳେ ଆସନ୍ତା ମାସରେ ସ୍ଥିତି ଅଣାୟତ ହେବାକୁ ଯାଉଛି। ତେଣୁ ମେ ପ୍ରଥମ ସପ୍ତାହରୁ ଜୁଲାଇ ଯାଏ ରାଜ୍ୟରେ ବିବାହ ଋତୁ ଥିବାରୁ ଭୋଜିରେ ଚାର୍ ମଗଜର ମୂଲ୍ୟ ୫୩୦ ଛୁଇଁବାର ଆଶଙ୍କା କରାଯାଉଛି ବୋଲି ମାଲଗୋଦାମ ବ୍ୟବସାୟୀ ଜଗବନ୍ଧୁ ସ୍ବାଇଁ କହିଛନ୍ତି।

ମଗଜ ଭଳି ଖଜୁରି ଓ ଅଖରୋଟର ମୂଲ୍ୟରେ ବି ବୃଦ୍ଧି ହୋଇଛି। ଡ୍ରାଏ ଫ୍ରୁଟ୍ସ ଭାବେ ଏହାକୁ ଡାଏଟ୍ କରୁଥିବା ବ୍ୟକ୍ତି ବ୍ୟବହାର କରୁଥିବାରୁ ଏହାର ଚାହିଦା ଏବେ ଓଡ଼ିଶା ବଜାରରେ ବୃଦ୍ଧି ପାଇଛି। ଖଜୁରି ବି କେଜି ପିଛା ୪୦ ଟଙ୍କା ବୃଦ୍ଧି ପାଇଛି। ମାଲଗୋଦାମକୁ ମାସିକ ୧୭ ଟନ୍(ପାଖାପାଖି ୫୦ ଲକ୍ଷ ଟଙ୍କା) ଖଜୁରି ଆରବୀୟ ଦେଶମାନଙ୍କୁ ଆମଦାନୀ ହୋଇ ଆସିଥାଏ। ମାଲଗୋଦାମକୁ ଯଦିଓ କିମିଆ, କଲମି, ପାର୍ଡ, ବରାରି, ଲାଟା, ମାଜାଫାତି ପ୍ରଜାତିର ଖଜୁରି ଆମଦାନୀ ହେଉଛି, କିନ୍ତୁ ସର୍ବାଧିକ ଚାହିଦା କିମିଆର ରହିଛି। କିମିଆ କେଜି ପିଛା ୨୬୦ରୁ ବଢି ୩୩୦ ଟଙ୍କା ଛୁଇଁଲାଣି। ବର୍ତ୍ତମାନ ମାଲଗୋଦାମକୁ ଯୋଗାଣ ତୁଳନାରେ ଦୁଇ ଗୁଣ ଆବଶ୍ୟକ କରୁଛନ୍ତି ଗ୍ରାହକ। ଆରବୀୟ ଦେଶମାନଙ୍କରେ ଖଜୁରି ଉତ୍ପାଦନ ଚଳିତ ବର୍ଷ ନଥିବାରୁ ଏହାର ପ୍ରଭାବ ମାଲଗୋଦାମ ଉପରେ ପଡ଼ିଛି।

ସେହିଭଳି ଆଫଗାନିସ୍ଥାନ, ଚିଲ୍ଲି, କାଲିଫର୍ଣ୍ଣିଆ, ଜମ୍ମୁ, ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା ଅଖରୋଟରେ ବି କେଜି ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି। ନଭେମ୍ବର ଓ ଡିସେମ୍ବରରେ ଏହାର ଉତ୍ପାଦନ ହୋଇଥାଏ। କିନ୍ତୁ ଏଥର ଉତ୍ପାଦନ ଭଲ ହୋଇନାହିଁ। ଅଖରୋଟ ସର୍ବାଧିକ ଆମେରିକାରେ ଉତ୍ପାଦନ ହେଉଥିବାରୁ ଏହାର ମୂଲ୍ୟ ଆମେରିକା ନିର୍ଦ୍ଧାରଣ କରିଥାଏ। ଏ ବର୍ଷ ଆମେରିକାରେ ଉତ୍ପାଦନ ହ୍ରାସ୍ ପାଇଥିବାରୁ ଅଖରୋଟ ମୂଲ୍ୟ ଏଭଳି ବୃଦ୍ଧି ପାଇଛି। କେଜି ପିଛା ୯୦୦ରୁ ୧୧ ଶହ ଟଙ୍କା ଯାଏ ଅଖରୋଟ କେଜି ଏବେ ପହଞ୍ଚିଛି। ଅଖରୋଟ ତୈଳ ଜାତୀୟ ଖାଦ୍ୟ ସାମଗ୍ରୀ ତାଲିକାରେ ଆସୁଥିବାରୁ ଏହାକୁ ଖାଇଲେ ଅତ୍ୟଧିକ ଗରମ ଅନୁଭବ ହୋଇଥାଏ। ଗ୍ରୀଷ୍ମ ଋତୁ ଅପେକ୍ଷା ଶୀତ ଋତୁରେ ଏହାର ଆବଶ୍ୟକତା ବଢ଼ିଥାଏ। ଗଣେଶ ପୂଜା ପରେ ଏହାର ମୂଲ୍ୟ ବୃଦ୍ଧି ସାଧାରଣତଃ ହୋଇଥାଏ। ଗ୍ରୀଷ୍ମରେ ଆବଶ୍ୟକତା ନଥାଇ ସୁଦ୍ଧା ଏହାର ମୂଲ୍ୟ ହଠାତ୍ ବୃଦ୍ଧି ପାଇବା ନେଇ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ମାଲଗୋଦାମକୁ ଅଖରୋଟ୍ ମାସିକ ୪ ଟନ୍ ଆମଦାନୀ ହେଉଛି। ମୂଲ୍ୟ ବୃଦ୍ଧି ପରେ ସେହି ଅନୁଯାୟୀ ବିକ୍ରି ନହେଲେ ଅଖରୋଟ ଅଧିକ ଦିନ ଗଚ୍ଛିତ ହୋଇ ଗୋଦାମରେ ରହିବା ସମ୍ଭବ ନୁହେଁ। ନଷ୍ଟ ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥିବାରୁ ଏହାକୁ ନେଇ ମାଲଗାଦାମ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଲେଣି।

Spread the love