ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ

ଓଡିଶା ହାଇକୋର୍ଟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ବାଲେଶ୍ଵର ସାଂସଦ ମିଥ୍ୟା ଓ ଅସମ୍ପୂର୍ଣ୍ଣ ସତ୍ୟପାଠ ଦାଖଲ କରିଥିବା ଏହି ମାମଲା ଜଣେ ଭୋଟର ଯଦୁନାଥ ସେଠୀଙ୍କ ପକ୍ଷରୁ ରୁଜୁ ହୋଇଥିଲା। ବାରମ୍ବାର ଶୁଣାଣି ତାରିଖ ରଖିବା ସତ୍ତ୍ୱେ ଆବେଦନକାରୀ କିମ୍ବା ତାଙ୍କ ଓକିଲ ହାଇକୋର୍ଟରେ ଉପସ୍ଥିତ ନ ରହିବାରୁ ମାମଲାଟିକୁ ଖାରଜ କରି ଦେଇଛନ୍ତି ଜଷ୍ଟିସ ଦେଵବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ। ଏଭଳି ଏକ ନିର୍ବାଚନି ମାମଲାରେ ବାରମ୍ବାର ସୁଯୋଗ ଦେବା ସତ୍ତ୍ୱେ କୋର୍ଟରେ ଉପସ୍ଥିତ ରହିଲେ ନାହିଁ ଆବେଦନକାରୀଙ୍କ ଓକିଲ। ତେଣୁ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଏହା ସହିତ ଏହି ମାମଲା ଚାଲୁ ରହି ଥିବାରୁ ବାଲେଶ୍ଵର ଲୋକସଭା ଆସନର ଇଭିଏମ ଓ ଭିଭିପାଟ ଗୁଡିକୁ ଷ୍ଟ୍ରଙ୍ଗ ରୁମରୁ ଖାଲି ହୋଇ ନ ଥିଲା। ଅନ୍ୟ ସ୍ଥାନରେ ନିର୍ବାଚନ ପାଇଁ ଇଭିଏମ ଓ ଭିଭିପାଟ ଗୁଡିକ ଆବଶ୍ୟକ ରହୁଥିବାରୁ ଷ୍ଟ୍ରଙ୍ଗ ରୁମରୁ ଏଗୁଡ଼ିକୁ ଖାଲି କରିବାକୁ ଆବେଦନ କରିଥିଲେ ନିର୍ବାଚନ କମିଶନ। ଏହି ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ।
ଇଭିଏମ ଓ ଭିଭିପାଟ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବାଲେଶ୍ବର ଲୋକସଭା ଆସନରୁ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଦାୟର ଏହି ନର୍ବାଚନୀ ମାମଲାରେ ଆବେଦନକାରୀ ଦର୍ଶାଇଥିଲେ ଯେ, ବିଜେପି ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ସଂପୂର୍ଣ୍ଣ ନୁହେଁ। ଏଥିରେ ସେ ସବୁ ତଥ୍ୟ ଦେଇ ନାହାନ୍ତି। ବହୁ ତଥ୍ୟ ଲୁଚାଇଛନ୍ତି। ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା, ସଂପତ୍ତି ଓ ଅନ୍ୟ କେତେକ ପ୍ରସଂଗରେ ସେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ ନିର୍ବାଚନ ଫଳାଫଳ ରଦ୍ଦ ହେବ। ଏପରି ପରିସ୍ଥିତିରେ ସାଂସଦ ଭାବେ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଥିଲେ। ଏଥି ସହିତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ସୂଚନାଯୋଗ୍ୟ ବାଲେଶ୍ବର ଲୋକସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୪, ୮୩, ୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ୪,୭୦, ୯୦୨ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

Spread the love