ଡିସେମ୍ବର ସୁଦ୍ଧା ସବୁ ୱାର୍ଡ଼ରେ ମିଳିବ ୫ଟି ମୌଳିକ ସୁବିଧା

ଭୁବନେଶ୍ବର : ଚଳିତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୫୫ଟି ୱାର୍ଡରେ ଲୋକଙ୍କୁ ୫ଟି ମୌଳିକ ସୁବିଧା ଯଥା ପାର୍କ, ଜିମ୍, ପେଭର୍ ରାସ୍ତା, ଖୋଲା ସ୍ଥାନ, ଡ୍ରେନେଜ୍ ଆଦି ମିଳିବ। ଏନେଇ ମୁକ୍ତା କାର୍ଯ୍ୟକ୍ରମର ସଂଯୋଜକ ତଥା ଗୋଷ୍ଠୀ ସଂଗଠକମାନେ ଟାର୍ଗେଟ୍ ନେଇ କାମ କରିବାକୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ କହିଛନ୍ତି।

ସୋମବାର ଦିନ ଲୋକସେବା ଭବନରେ ମୁକ୍ତା କାର୍ଯ୍ୟକ୍ରମର ସଂଯୋଜକ ତଥା ଗୋଷ୍ଠୀ ସଂଗଠକମାନଙ୍କର ଦିନିକିଆ ପ୍ରଶିକ୍ଷଣ କର୍ମଶାଳାରେ ଶ୍ରୀ ମାଥିଭାଥନନ୍ ସଂଯୋଜକମାନଙ୍କୁ ଚେତାବନୀ ଦେବା ଭଳି କହିଛନ୍ତି ଯେ, କୌଣସି ସହରାଞ୍ଚଳରେ ଗୁଣବତ୍ତା ଓ ସ୍ବଚ୍ଛତା ସହ ସାଲିସ୍ କରାଯିବନି। ବର୍ତମାନ ସମୟ ଆସିଛି ଆମକୁ ଆମର ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ। ଯେଉଁମାନେ ଦକ୍ଷତା ପ୍ରଦର୍ଶନ କରିନପାରିବେ ସେମାନେ ହୁଏତ ଆମ ଟିମ୍‌ରୁ ନିଶ୍ଚିତ ବାଦ୍‌ ପଡ଼ିବେ।
ବୈଠକରୁ ଜଣାପଡ଼ିଛି ଯେ, ଆଜି ମୁକ୍ତା ୩ ବର୍ଷ ପୂରଣ କରିଛି। ଗତ ୩ ବର୍ଷରେ ରାଜ୍ୟର ୧୧୫ଟି ପୌର ସଂସ୍ଥାରେ ପ୍ରାୟ ୫୨,୫୦୦ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୬୨ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ବିଭିନ୍ନ ପୌର ସଂସ୍ଥାରେ ‘କ୍ୟାଚ୍ ଦ ରେନ୍’ ଅଧୀନରେ ୩୬,୦୦୦ ବର୍ଷା ଜଳ ଅମଳ ପ୍ରକଳ୍ପ ସୃଷ୍ଟି କରାଯାଇଛି। ପ୍ରାୟ ୫୨,୫୦୦ ପ୍ରକଳ୍ପର କାର୍ଯ୍ୟାନ୍ବୟନ ପାଇଁ ମୁକ୍ତାରେ ପ୍ରାୟ ୨୬,୪୫୫ ମିସନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘକୁ ସହଭାଗୀ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା ମୁକ୍ତା ଯୋଜନାର ସମ୍ପର୍କରେ କହିଥିଲେ।

ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ ଦାସ, ସଞ୍ଜୟ ପରମାଣିକ, ସ୍ୱତନ୍ତ୍ର ସଚିବ ସୁଧାକର ପହି ପ୍ରମୁଖ ଉପସ୍ଥିତ ଥିଲେ।

Spread the love