୩୪ଟି ରାଷ୍ଟ୍ରରେ ସମଲିଙ୍ଗୀ ବିବାହ ବୈଧ

ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମ୍‌କୋର୍ଟର ୫ ଜଣିଆ ସମ୍ବିଧାନ ବେଞ୍ଚରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ନେଇ ଆଗତ ଅନ୍ୟୂନ ୧୫ଟି ଆବେଦନର ଏକତ୍ର ଶୁଣାଣି ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବାଧୀନ କେନ୍ଦ୍ର ସରକାର ଏହାକୁ ବିରୋଧ କରୁଥିବା ବେଳେ ଏଲ୍‌ଜିବିଟିକ୍ୟୁ ସମୁଦାୟ ପକ୍ଷରୁ ସମ୍ମାନର ସହ ବଞ୍ଚିବାର ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ଦୃଷ୍ଟିରୁ ଏହାକୁ ଆଇନଗତ ମାନ୍ୟତା ଦେବା ଉଚିତ ବୋଲି ଯୁକ୍ତି କରାଯାଇଛି। ପୂର୍ବରୁ ୨୦୧୮ ମସିହାରେ ସମ୍ବିଧାନର ଧାରା ୩୭୭ରୁ ସମଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ପର୍କର ଆପରାଧିକତାକୁ ବାଦ୍ ଦିଆଯାଇଥିଲା। ତେବେ ଯଦି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳେ ତେବେ ଭାରତ ନିମ୍ନରେ ଦିଆଯାଇଥିବା ଦେଶଗୁଡ଼ିକର ତାଲିକାରେ ସାମିଲ ହେବ ଯେଉଁଠି ଏହି ବିବାହ ଆଇନସମ୍ମତ।

ଦେଶଗୁଡ଼ିକ ହେଉଛି: କ୍ୟୁବା, ଆଣ୍ଡୋରା, ସ୍ଲୋଭେନିଆ, ଚିଲି, ସ୍ୱିଜରଲ୍ୟାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇୱାନ , ଇକ୍ବେଡର, ବେଲଜିୟମ, ବ୍ରିଟେନ, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ, ଲକ୍ସେମବର୍ଗ, ମାଲ୍ଟା, ନରୱେ, ପର୍ତ୍ତୁଗାଲ୍, ସ୍ପେନ୍, ସ୍ୱିଡେନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଆମେରିକା, କଲମ୍ବିଆ, ବ୍ରାଜିଲ୍, ଆର୍ଜେଣ୍ଟିନା, କାନାଡା, ନେଦରଲାଣ୍ଡ, ନିଉଜିଲାଣ୍ଡ, ପର୍ତ୍ତୁଗାଲ ଓ ଉରୁଗୁଏ। ୨୦୦୧ ମସିହାରେ ସମଲିଙ୍ଗୀ ବିବାହକୁ ପ୍ରଥମେ ନେଦରଲ୍ୟାଣ୍ଡ ଆଇନଗତ ମାନ୍ୟତା ଦେଇଥିବାବେଳେ ତାଇୱାନ ହେଉଛି ଏହା କରିବାରେ ପ୍ରଥମ ଏସୀୟ ରାଷ୍ଟ୍ର। ଏହି ୩୪ଟି ଦେଶ ମଧ୍ୟରୁ ୨୩ଟି ଦେଶ ଆଇନ ପ୍ରଣୟନ କରି ସମଲିଙ୍ଗୀ ଦମ୍ପତିଙ୍କୁ ବିବାହ କରିବାକୁ ଅନୁମତି ହୋଇଥିବାବେଳେ ଦଶଟି ଦେଶରେ ସେମାନେ କୋର୍ଟଙ୍କ ନିଷ୍ପତ୍ତି ମାଧ୍ୟମରେ ଏହି ଅଧିକାର ପାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଦକ୍ଷିଣ ଆଫ୍ରିକା ଏବଂ ତାଇୱାନ ଏହି ଆଇନ ପ୍ରଣୟନ କରିଥିଲେ।

Spread the love