ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଇଛି ଶିଆଳି ପତ୍ର

ଫୁଲବାଣୀ : ମହୁଲ ଫୁଲ ଭଳି ଶିଆଳି ପତ୍ର ମଧ୍ୟ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ପାଇଁ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଶିଆଳି ପତ୍ରରୁ ନାନା ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ନିକଟସ୍ଥ ବଜାରରେ ବିକ୍ରି କରି ଆଦିବାସୀମାନେ ପରିବାର ପ୍ରତିପୋଷଣ କରନ୍ତି। ଶିଆଳି ପତ୍ରକୁ କୁଟୀରଶିଳ୍ପରେ ପରିଣତ କରାଯାଇଛି। ଶତାଧିକ ଆଦିବାସୀ ମହିଳା ଜଙ୍ଗଲରୁ ଏହି ପତ୍ର ସଂଗ୍ରହ କରି ରୋଜଗାରକ୍ଷମ ହୋଇପାରୁଛନ୍ତି। ତେବେ ପୋଡୁଚାଷ ଏବଂ ଜଙ୍ଗଲ ନିଆଁ ଫଳରେ ଶିଆଳି ଲଟା ଜଳିଯାଉଥିବାରୁ ଆଦିବାସୀମାନେ ପ୍ରଭାବିତ ହେଉଛନ୍ତି। ଶିଆଳି ପତ୍ରରୁ ପ୍ରସ୍ତୁତ ସାମଗ୍ରୀର ବିକଳ୍ପ ଭାବେ କାଗଜ ଓ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ବଢ଼ୁଛି। ଆଉ ଶିଆଳି
ଲଟାରେ ପ୍ରସ୍ତୁତ ପ୍ଲେଟ୍‌, ଦନା ଓ ଥାଳିର ଚାହିଦା କମିବାରେ ଲାଗିଛି।

ଶିଆଳି ଗଛ ଆଦିବାସୀଙ୍କ ପାଇଁ ଏକ ଆଶୀର୍ବାଦ ବୋଲି ମନେ କରାଯାଏ। ଯେଉଁଥିରୁ ଖଲି, ଦନା, ବର୍ଷାତି, ପ୍ଲେଟ୍‌ ଓ ଥାଳି ଆଦି ବିଭିନ୍ନ ଉପକରଣ ପ୍ରସ୍ତୁତ କରାଯାଇଥାଏ। ‌ସେହିପରି ଲଟା ଓ ଚେରରୁ ଦଉଡ଼ି ପ୍ରସ୍ତୁତ ହୋଇଥାଏ। ସେହିଭଳି ଶିଆଳି ଫଳ ଶରୀରକୁ ପୋଷଣ ଯୋଗାଇଥାଏ। ଶିଆଳି ଫଳ ଆଦିବାସୀଙ୍କର ଅନ୍ୟତମ ପ୍ରିୟ ଖାଦ୍ୟ ଭାବେ ଜଣାଶୁଣା। ଶିଆଳି ଫୁଲରୁ ପ୍ରସ୍ତୁତ ମହୁର ସ୍ବାଦ ଅଧିକ ମିଠା ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି। ଆଦିବାସୀ ପୁରୁଷମାନେ ଶିଆଳି ଫଳରୁ ମଞ୍ଜି ବାହାର କରି ତାକୁ ପୋଡ଼ି ଖାଇଥା’ନ୍ତି ଏବଂ ଶିଆଳି ଫଳ ସ୍ଥାନୀୟ ବଜାରରେ କିଲୋ ପ୍ରତି ୨୦ରୁ ୩୦ ଟଙ୍କା‌ରେ ବିକ୍ରି ହୋଇଥାଏ ବୋଲି ବେଲଘରର ପିଟୁକୁ ମାଝି କହନ୍ତି। କୁଟିଆ କନ୍ଧ ପୁରୁଷମାନେ ଶିଆଳି ଲଟାକୁ ସଂଗ୍ରହ କରି ସେଥିରୁ ଦଉଡ଼ି ପ୍ରସ୍ତୁତ କରିଥା’ନ୍ତି। ଶିଆଳି ଲଟାରୁ ପ୍ରସ୍ତୁତ ଦଉଡ଼ି ଅଧିକ ଶକ୍ତ ବୋଲି କହନ୍ତି ଦେଓଗଡ଼ାର ଦୟାନିଧି ଜାନି। ଶିଆଳି ଲଟାରୁ ପ୍ରସ୍ତୁତ ଦଉଡ଼ିରୁ କୁଟିଆ କନ୍ଧମାନେ ଦଉଡ଼ିଆ ଖଟ ପ୍ରସ୍ତୁତ କରି ନିକଟସ୍ଥ ହାଟ‌ରେ ବିକ୍ରି କରିଥାନ୍ତି।

ତେବେ ବର୍ତ୍ତମାନ ବେଲଘର, କୋଟଗଡ଼ ଏବଂ ତୁମୁଡ଼ିବନ୍ଧ ଜଙ୍ଗଲରୁ ଶିଆଳି ଲଟା ହ୍ରାସ ପାଇବାରୁ ଆଦିବାସୀଙ୍କ ପାଇଁ ଏହା ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ପ୍ରକୃତିର ଏହି ଦାନକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସହ ମହିଳା ଗୋଷ୍ଠୀମାନଙ୍କ ପାଇଁ କୁଟୀରଶିଳ୍ପ କ୍ଷେତ୍ର ପ୍ରସ୍ତୁତ କରି ଏହାର ମୂଲ୍ୟଯୁକ୍ତ କରିବାକୁ ଓରମାସ୍‌, ଜଙ୍ଗଲ ବିଭାଗ, ଟିଡିସିସି, ଆଇଟିଡିଏ, ମିସନ୍‌ ଶକ୍ତି ଏବଂ ଓଡ଼ିଶା ଜୀବିକା ମିସନ୍‌ ଭଳି ସଂସ୍ଥାମାନେ ଆଗେଇ ଆସିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

କନ୍ଧମାଳ ଜିଲ୍ଲାର ପାଣିପାଗ ଶିଆଳି ଗଛ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି। ଫଳରେ ଏହାକୁ ଧ୍ୟାନରେ ରଖି ଉପକୂଳ ଅଞ୍ଚଳର ପାନବରଜ ଭଳି ଶିଆଳିକୁ ମହିଳା ଗୋଷ୍ଠୀଙ୍କ ଦ୍ବାରା ରାଜସ୍ବ ଜମିରେ ରୋପଣ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଓ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରାଯାଇପାରିଲେ ଆଦିବାସୀ ମହିଳାମାନେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।

Spread the love