ମୁସଲିମ ପ୍ରଫେସରଙ୍କ ପାଇଁ ବିଏଚ୍‌ୟୁରେ ବିବାଦ

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚ୍‌ୟୁ)ରେ ସଂସ୍କୃତ ବିଷୟରେ ଶିକ୍ଷାଦାନ ଦେବାକୁ ଜଣେ ମୁସଲିମ ପ୍ରଫେସର ଫିରୋଜ ଖାନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ୧୪ ଦିନ ହେଲା ବିଏଚ୍‌ୟୁରେ କିଛି ତଥାକଥିତ ଛାତ୍ର ଗୋଷ୍ଠୀ ଆନ୍ଦୋଳନ ଜାରି ରଖିଛନ୍ତି।ପ୍ରଶାସନ ନିୟମ ଅନୁସାରେ ଫିରୋଜ ଖାନ୍‌ଙ୍କୁ ନିଯୁକ୍ତି ଦେଇଥିଲେ ହେଁ କିଛି ଛାତ୍ର ସେ ମୁସଲିମ ହୋଇଥିବାରୁ ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରୁଛନ୍ତି। ହେଲେ ଆଜି ଫିରୋଜ ଖାନଙ୍କ ସମର୍ଥନରେ ବିଏଚ୍‌ୟୁର ଶତାଧିକ ଛାତ୍ର ବାହାରିଛନ୍ତି। ସେମାନେ ଆଜି ଶାନ୍ତିଶୃଙ୍ଖଳାର ସହ ଫିରୋଜଙ୍କ ସମର୍ଥନରେ ରାଲି ଆୟୋଜନ କରିଥିଲେ।ଏହି ଛାତ୍ରଛାତ୍ରୀମାନେ କହିଛନ୍ତି, ଫିରୋଜ ଖାନ୍‌ଙ୍କ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ଆନ୍ଦୋଳନ ତୁରନ୍ତ ବନ୍ଦ ହେବା ଦରକାର। ସେହିପରି ଫିରୋଜ ଖାନଙ୍କୁ ଶିକ୍ଷାଦାନ ପାଇଁ ତୁରନ୍ତ ଅନୁମତି ଦେବା ଉଚିତ। ଫିରୋଜଙ୍କ ସମର୍ଥନରେ ଲଙ୍କା ଗେଟରୁ ରାଲି ଆରମ୍ଭ ହୋଇଥିଲା। ଜଏଣ୍ଟ ଆକ୍ସନ କମିଟି ବ୍ୟାନରେ ଆୟୋଜିତ ଏହି ରାଲିରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସେମାନେ ହାତରେ ଧରିଥିବା ବ୍ୟାନରରେ ଲେଖାଯାଇଥିଲା ଯେ “ଆମେ ଆପଣଙ୍କ ସହ ରହିଛୁ ଡ.ଫିରୋଜ ଖାନ୍‌।”ନଭେମ୍ବର ୫ରେ ଫରୋଜଙ୍କୁ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ତେବେ ସେ ଏଯାଏ ଆନ୍ଦୋଳନ ଯୋଗୁ ବିଏଚ୍‌ୟୁରେ ଗୋଟିଏ ବି କ୍ଲାସରେ ପାଠପଢ଼ାଇ ପାରିନାହାନ୍ତି। ଫିରୋଜଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ତୀବ୍ର ହେବାରେ ଲାଗିଛି।

Spread the love