କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଉଦଯାପିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ କ୍ରୀଡ଼ା ଭାରତୀର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆୟୋଜିତ ଦୁଇଦିନିଆ ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ଆୟୋଜିତ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ତାଙ୍କ ସଭାପତିତ୍ବ ଭାଷଣରେ ଦୁଇଦିନିଆ ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବକୁ ସଫଳ ରୂପେ ସମ୍ପନ୍ନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ପାଠପଢ଼ା ବ୍ୟତୀତ କ୍ରୀଡ଼ାରେ ସାମିଲ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ, ଯାହାଦ୍ୱାରା ଉଭୟ ମନ ଓ ଶରୀରର ବିକାଶ ହୋଇପାରିବ। ଅଲିମ୍ପିଆନ୍ ଶ୍ରୀ ଗୋପାଳ ସାଇନିଙ୍କୁ ପ୍ରଶଂସା କରିବା ସହ ସେ ଆହୁରି ମଧ୍ୟ କହିଥିଲେ ଯେ “ବିଶ୍ବବିଦ୍ୟାଳୟର ଏହି କ୍ରୀଡ଼ା ପ୍ରାଙ୍ଗଣ ନିଶ୍ଚୟ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ଜନ୍ମ ଦେବ”। ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର କୁଳପତିଙ୍କ ଧର୍ମପତ୍ନୀ ଡ. ବସନ୍ତ ମଞ୍ଜରୀ କର; ସ୍ୱର୍ଣ୍ଣିମ ଗୁଜୁରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ ଏଚ୍ ସୋନି; ଶ୍ରୀ ମଧୁମୟ ନାଥ, କ୍ରୀଡ଼ା ଭାରତୀର ଯୁଗ୍ମ ସମ୍ପାଦକ; ଓଡ଼ିଶା ଚାପ୍ଟରର ସମ୍ପାଦକ ଦାମୋଦର ପ୍ରଧାନ, ଅର୍ଜୁନ ପୁରସ୍କାର ବିଜେତା ତଥା ବିଶିଷ୍ଟ ଅଲିମ୍ପିଆନ୍ ଗୋପାଳ ସାଇନି, ବିଶ୍ବବିଦ୍ୟାଳୟର ଏକାଡେମିକ ଓ ପ୍ରଶାସନ ପରାମର୍ଶଦାତା ପ୍ରଫେସର ସୁଧେନ୍ଦୁ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର ଯତୀନ୍ ଏଚ୍ ସୋନିଙ୍କ ଅଭିଭାଷଣରେ ଆରମ୍ଭ ହୋଇଥିବା ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ସେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପାରମ୍ପରିକ କ୍ରୀଡ଼ାର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସୁସ୍ଥ ଜୀବନ ପାଇଁ ସମସ୍ତ ପ୍ରକାର କ୍ରୀଡ଼ା ଓ ଯୋଗରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅଲିମ୍ପିଆନ୍ ଗୋପାଳ ସାଇନି ଆମ ସଂସ୍କୃତିରେ କ୍ରୀଡ଼ାର ମହତ୍ତ୍ୱ କୁ ଦର୍ଶାଇ ସଭାକୁ ସମ୍ବୋଧିତ କରିଥିଲେ। କୋରାପୁଟରେ ଅବସ୍ଥିତ ଏହି ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି କ୍ରୀଡ଼ା ମହୋତ୍ସବକୁ ସେ ‘ଜଙ୍ଗଲ ମେଁ ମଙ୍ଗଳ’ ସହ ତୁଳନା କରିଥିଲେ । ଉପଯୁକ୍ତ ମାର୍ଗଦର୍ଶନ ମିଳିଲେ ଏହି ସ୍ଥାନରେ ଅନେକ ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ୍ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ ୭୦ ବର୍ଷ ବୟସରେ ପ୍ରବେଶ କରିଛନ୍ତି ତଥାପି ସେ ତାଙ୍କ ଦୈନନ୍ଦିନ ଫିଟନେସ୍ ବ୍ୟବସ୍ଥାରେ ଦୀର୍ଘ ସମୟ ଅନ୍ତର୍ଭୁକ୍ତ କରନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଉତ୍ସାହିତ କରନ୍ତି ।

ସର୍ବଭାରତୀୟ ଯୁଗ୍ମ ସଚିବ ଡ. ମଧୁମୟ ନାଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇବ ସହ କହିଥିଲେ ଯେ କେବଳ କ୍ରୀଡ଼ାରୁ ହିଁ ଆମେ ଦଳଗତ ଭାବନା, ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଏବଂ ଏକତା ଶିଖିପାରିବା। ଆମ ସଂସ୍କୃତି ବିଷୟରେ ଉଲ୍ଲେଖ କରି ସେ ପତଞ୍ଜଳିଙ୍କ ବିଷୟରେ କହିଥିଲେ। କ୍ରିଡା ଭାରତୀର ଓଡ଼ିଶା ଚାପ୍ଟର ସଭାପତି ଶ୍ରୀ ଅଶୋକ ନାୟକ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସୂର୍ଯ୍ୟ ନମସ୍କାର (ଯେଉଁଠାରେ କୁଳପତି ମଧ୍ୟ ଯୋଗ ଦେଇଥିଲେ), ଯୋଗ, ଛଉ ନୃତ୍ୟ (ଓଡ଼ିଶା), ରାୟ ବଂଶେ (ପଶ୍ଚିମବଙ୍ଗ), ପାଇକଯୁଧ୍ୟ କୌଶଳ (ଓଡ଼ିଶା) ସମେତ ଭାରତର ପାରମ୍ପରିକ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ବିଦ୍ୟାପୀଠର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବିସିଏନଆର ବିଭାଗର ଅଧ୍ୟାପକ ଡ. କାକୋଲି ବାନାର୍ଜୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜି-୨୦ ଜନଭାଗୀଦାରୀର ନୋଡାଲ ଅଫିସର ଡ. ପ୍ରଦୋଷ କୁମାର ରଥ, ଡିନ୍ ଛାତ୍ର କଲ୍ୟାଣ ଡ. ରାମେନ୍ଦ୍ର ପାଢ଼ୀ, ଭାରତୀୟ ପାରମ୍ପରିକ କ୍ରୀଡ଼ା ମହୋତ୍ସବର ସଂଯୋଜକ ଡ ଜ୍ୟୋତିସ୍କ ଦତ୍ତ, ପରୀକ୍ଷା ନିୟନ୍ତ୍ରକ ଡ. ଜୟନ୍ତ କୁମାର ନାୟକ, ସମାଜବିଜ୍ଞାନ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. କପିଳ ଖେମୁଣ୍ଡୁ, ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଶ୍ରୀ ସଞ୍ଜିତ କୁମାର ଦାସ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ପ୍ରଦୋଷ କୁମାର ସ୍ବାଇଁ, ନୃତତ୍ତ୍ୱ ବିଜ୍ଞାନ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ଡକ୍ଟର ଶ୍ରୀନିବାସ ବି କୋଟନାକ, ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ସହକାରୀ ପ୍ରଫେସର ଡ. ଦେବବ୍ରତ ପଣ୍ଡା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡ. ରୁଦ୍ରାଣୀ ମହାନ୍ତି ଓ ଡ. ଗଣେଶ ପ୍ରସାଦ ସାହୁ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଡ. ସୋନି ପାଢ଼ୀ ଓ ବିଶ୍ବବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, କ୍ରୀଡ଼ାବିତ୍, ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଅନ୍ୟ କର୍ମଚାରୀ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Spread the love