ମଧୁବାବୁ ନଥିଲେ ଓଡ଼ିଶାର ଇତିହାସ ଆଜି ଭିନ୍ନ ହୋଇଥାନ୍ତା : ମନମୋହନ ସାମଲ

ଭୁବନେଶ୍ୱର, ତା.୨୮/୦୪: ଓଡ଼ିଆ ଜାତୀୟତାର ଆବାହକ, ଓଡିଆ ସ୍ୱାଭିମାନର ମନ୍ତ୍ରଦାତା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି, ଓଡ଼ିଆ ଜାତିର କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଝାରସୁଗୁଡା ସ୍ଥିତ ସରବାହାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ରାଜ୍ୟ ସଭାପତି ମନମୋହନ ସାମଲ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଜୟନ୍ତୀ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନେଶ ଜୈନ, ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ସାମଲ ମଧୁବାବୁଙ୍କ ସମ୍ପର୍କରେ କହିଛନ୍ତି ଯେ, ମଧୁବାବୁ ଓଡ଼ିଆ ଜାତୀୟତାର ମନ୍ତ୍ରଦାତା କେବଳ ନଥିଲେ, ସେ ଥିଲେ ଓଡ଼ିଆ ସ୍ୱାଭିମାନର କାଣ୍ଡାରୀ । କେବଳ ରାଜନୈତିକ ସ୍ୱତନ୍ତ୍ରତା ନୁହେଁ ସାମାଜିକ ଆର୍ôଥକ ସାଂସ୍କୃତିକ, ଶୈକ୍ଷିକ ଓ ସାଭ୍ୟତିକ ଦୃଷ୍ଟିରୁ ସେ ଏକ ଉନ୍ନତ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ । ଓଡିଶାର ଉପକୂଳ, ମାଳଚଂଳ ଓ ଗଡଜାତ ସବୁ ଭାଗର ଆତ୍ମିକ ଏକୀକରଣ ପାଇଁ ସେ ଉଦ୍ୟମ କରିଥିଲେ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିଚାଳନାକୁ ଫିରିଙ୍ଗ ଶାସନରୁ ମୁକ୍ତ କରିବାକୁ ମକଦ୍ଦମା ଲଢ଼ି ସଫଳ ହୋଇଥିଲେ । ୧୯୮୦ ଦଶକରୁ ମୃତ୍ୟୁ ପର୍ଯ୍ୟନ୍ତ ମଧୁବାବୁ ତାଙ୍କର ସମଗ୍ର ଜୀବନକୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଉତ୍ସର୍ଗ କରିଥିଲେ । ମଧୁବାବୁ ନଥିଲେ ଓଡ଼ିଶାର ଇତିହାସ ଆଜି ଭିନ୍ନ ହୋଇଥାନ୍ତା ।

ସେହିପରି ମଧୁବାବୁଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ସମାରୋହ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ରେ ରାଜଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତିରେ ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ ରାଜ୍ୟ କାର୍ଯ୍ୟାଳୟରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ ସଭାରେ ବରିଷ୍ଠ ନେତା ତଥା ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ପ୍ରବିତ୍ର ମୋହନ ଦାଶ, ଆଇନଜୀବୀ ରବି ପଟ୍ଟନାୟକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ କର୍ଣ୍ଣେଲ ମୋହନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love