ନିରପେକ୍ଷ କେବଳ କହିଲେ ହେବ ନାହିଁ, କାମରେ ଦେଖାଇବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଏପ୍ରିଲ ୨୮ – ନିରପେକ୍ଷତା ଓ ଶାନ୍ତିର ଅର୍ଥ ନୁହେଁ ବହୁସଂଖ୍ୟକ ସମାଜ ଉପରେ ଅତ୍ୟାଚାର କରିବା । ନାଲି ଆଖି ଦେଖାଇବା ଏବଂ କେସର ଧମକ ଦେବା । ଶାନ୍ତିର ମାନେ ନିରପେକ୍ଷତା ଅବଲମ୍ବନ କରିବା । ନିରପେକ୍ଷ କେବଳ କହିଲେ ହେବ ନାହିଁ ବରଂ କାମରେ ଦେଖାଇବାକୁ ପଡିବ । ଓଡିଶା ସରକାର ରାଜଧର୍ମ ପାଳନ କରନ୍ତୁ ଓ ନିରପେକ୍ଷ ରୁହନ୍ତୁ ବୋଲି ସମ୍ବଲପୁର ହିଂସା ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରରେ ପରମ୍ପରା ଗତ ଭାବେ ଚାଲି ଆସୁଥିବା ହନୁମାନ ଜୟନ୍ତୀ ପ୍ରସ୍ତୁତି ପର୍ବ ସ୍ଥାନୀୟ ପ୍ରଶାସନର ଅପାରଗତା ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା । ବହୁ ଲୋକ ଆହତ ହେବା ସହ ଧନ ସମ୍ପତ୍ତି ହାନୀ ହେଲା । ହନୁମାନ ଜୟନ୍ତୀ ଦିନ ଜଣେ ଜନଜାତି ପିଲାର ହତ୍ୟା ହେଲା । ସ୍ଥାନୀୟ ପୋଲିସ ଏଫଆଇଆରରେ ନିଜେ ଏହି କଥା ଲେଖିଛନ୍ତି । ମାତ୍ର ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନର ନିୟନ୍ତ୍ରଣ ସମ୍ପର୍କରେ ଯେଉଁ ଦାୟିତ୍ୱ ନେବା କଥା ତାହା ପରିଲକ୍ଷିତ ହେଉନାହିଁ ।

ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢୁଛି । ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୋଲିସ ନିର୍ଦ୍ଦିଷ୍ଟ ଭାବେ ଆରୋପ କରି ଦୋଷୀ ସାବ୍ୟସ୍ତ କରିବାର ଅପଚେଷ୍ଟା କରୁଛି । ଏଠାରେ ଏକତରଫା ଭାବେ ପୋଲିସ ଡିଜି, ସ୍ଥାନୀୟ ଡିଆଇଜି, ସେଠାକାର ଏସପି କାମ କରୁଛନ୍ତି । ଏହାକୁ ଆମ ଦଳ ବିଜେପି ପ୍ରଥମ ଦିନରୁ ଅଭିଯୋଗ କରି ଆସୁଛି । ଜାତୀୟ ଏସଟି କମିଶନର ସଦସ୍ୟ ମାନେ ଏହି ଘଟଣାର ତଥ୍ୟ ସଂଗ୍ରହ କରିବାକୁ ଆସିଥିଲେ ମଧ୍ୟ ତାଙ୍କୁ ସ୍ଥାନୀୟ ପ୍ରଶାସନ ସେହି କାମରେ ଅସହଯୋଗ କରିଥିଲା । ସମ୍ବଲପୁର ଅଭାବନୀୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂସଦୀୟ ପ୍ରତିନିଧି ଦଳକୁ ନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love