ରାଜ୍ୟରେ ଆଇନର ଶାସନ ଚାଲୁନାହିଁ: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୦୧/୦୫ : ରାଜ୍ୟରେ ଆଇନର ଶାସନ ଚାଲୁନାହିଁ ବୋଲି ଭାରତୀୟ ଜନତା ପାର୍ଟି ପୂର୍ବରୁ ଏବଂ ଆଜି ବି ଅଭିଯୋଗ କରିଛି । ବିଜେଡିର ଆଇନ ଖିଲାପ ଚିତ୍ର ଝାରସୁଗୁଡା ଉପନିର୍ବାଚନରେ ସ୍ପଷ୍ଟ ଦେଖିବାକୁ ମିଳିଛି । ବିଜୁ ଜନତା ଦଳର ଅନ୍ୟ ନାମ ହିଂସା ଓ ସେ ହିଂସାରେ ବିଶ୍ୱାସ କରେ । ଝାରସୁଗୁଡାରେ ବିଜୁ ଜନତା ଦଳ ହିଂସାରେ ବିଜୟ କରିବ ବୋଲି ବିଶ୍ୱାସ ରଖିଛି । ପୂର୍ବରୁ ୧୦ଜଣ ପୋଲିସ ଅଧିକାରୀଙ୍କ ବଦଳି ପରେ ବି ସେମାନେ ସେଠାରେ ରହି ବିଜେଡି ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିଲେ । ପୁଣି ଗତକାଲି ୩୦ତାରିଖ ଝାରସୁଗୁଡାର ମଙ୍ଗଳା ବଜାରଠାରେ ବିଜୁ ଜନତା ଦଳର କର୍ମୀମାନେ ଭାରତୀୟ ଜନତା ପାର୍ଟିର ପ୍ରଚାର ଗାଡିକୁ ଅଟକାଇବା, ଭାଙ୍ଗିବା ଏବଂ ଗାଡି ଚାଳକଙ୍କୁ ଅଶାଳୀନ ବ୍ୟବହାର କରିବା ସହ ମାଡ ମାରି ନିର୍ବାଚନୀ ହିଂସା ଭିଆଇଛନ୍ତି । ଏ ଘଟଣାରେ ବିଜେପି ପକ୍ଷରୁ ସ୍ଥାନୀୟ ଏସ୍ପି ଓ ନିର୍ବାଚନ ଅଧିକାରୀଙ୍କୁ ଏଫଆଇଆର ଦିଆଯାଇଥିଲେ ବି ଏ ପର୍ଯ୍ୟନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହି ଘଟଣାରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।

ଝାରସୁଗୁଡାରେ ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବ ସେ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଇଛି । ନିରପେକ୍ଷ ନିର୍ବାଚନ ପାଇଁ ଘଟଣାରେ ସଂପୃକ୍ତ ବିଜେଡିର ହିଂସାକାରୀମାନଙ୍କୁ ପୋଲିସ ଯଥାଶୀଘ୍ର ଗିରଫ କରନ୍ତୁ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳାମୋର୍ଚ୍ଚ ରାଷ୍ଟ୍ରୀୟ ଅଧ୍ୟକ୍ଷା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love