ଦଙ୍ଗାକାରୀଙ୍କ ଘର ଉପରେ ବୁଲଡୋଜର ଚଢ଼ାଇବାର ସତସାହାଶ ବିଜେଡି ସରକାରର ଅଛି କି?: ଅନିଲ ବିଶ୍ୱାଳ

ଭୁବନେଶ୍ୱର, ୦୫/୦୫: ଗୋଟିଏ ଲୋକବାଣୀ ଅଛି ‘ ଚୋର ମଚାଏ ସୋର’ । ପ୍ରଥମେ ବିଜୁ ଜନତା ଦଳର ଯେଉଁ ବନ୍ଧୁମାନେ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ଜନତା ପାର୍ଟି ଉପରେ ଅଭିଯୋଗ ଆଣିଛନ୍ତି ସେମାନେ ପ୍ରଥମେ ନିଜ ଦଳର ମନ୍ତ୍ରୀ, ବିଧାୟକମାନଙ୍କର ଅପରାଧୀକ ମାମଲାର ବିବରଣୀ ଦେଖନ୍ତୁ । ବିଜୁ ଜନତା ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ରୁ ଅଧିକ ସଙ୍ଗୀନ ଅପରାଧୀକ ମାମଲା ବିଚରାଧୀନ ଅଛି । ହତ୍ୟା, ହତ୍ୟା ଉଦ୍ୟମ, ଦୁଷ୍କର୍ମ, ଅସଦାଚରଣ ଭଳି ସଙ୍ଗୀନ ଦଫାରେ ବିଜୁ ଜନତା ଦଳର ନେତାମାନେ ଅଭିଯୁକ୍ତ । ବିଜେଡି ସରକାରରେ ଆଇନମନ୍ତ୍ରୀଙ୍କ ନାଁରେ ହତ୍ୟା ମାମଲା ପଞ୍ଜୀକୃତ ହୁଏ, ଗୃହମନ୍ତ୍ରୀଙ୍କ ନାଁ ଜଣେ ଯୁବତୀର ଦୁଷ୍କର୍ମ ଓ ହତ୍ୟା ସଂପୃକ୍ତିର ଅଭିଯୋଗରେ ଆସେ, ଶ୍ରମମନ୍ତ୍ରୀଙ୍କ ନାଁରେ ତାଙ୍କ ନିଜ ଦଳର ନେତ୍ରୀ ସଙ୍ଗୀନ ଅଭିଯୋଗ ଆଣନ୍ତି, ବିଧାୟକଙ୍କ ନାଁରେ ସେକ୍ସ ସ୍କାଣ୍ଡେଲ ଅଭିଯୋଗ ଆସେ । ଏହାହେଉଛି ବିଜୁ ଜନତା ଦଳର ଅସଲ ଚିତ୍ର ଓ ଚରିତ୍ର ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଝାରସୁଗୁଡା ଉପନିର୍ବାଚରେ ବିଜୁ ଜନତା ଦଳ ହାରିବା ସୁନିଶ୍ଚିତ ଜାଣି ହିଂସାର ବାଟ ଆପଣାଇଛି । ଦୁଇଦିନ ତଳେ ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଯେଉଁମାନେ ଆକ୍ରମଣ ଉଦ୍ୟମ କରିଥିଲେ ସେମାନେ କେଉଁ ଦଳର ବିଜୁ ଜନତା ଦଳ ସ୍ପଷ୍ଟ କରୁ । ବିଜେପିର ବିଧାୟିକା କୁସୁମ ଟେଟେଙ୍କୁ ବିଜେଡି ଚିହ୍ନଥିବା ଗାମୁଛା ପକାଇ ଗୁଣ୍ଡାମାନେ ଆକ୍ରମଣ କରିଥିଲେ । ଲୋକମାନଙ୍କର ସମର୍ଥନ ପାଇବାରେ ନିରାଶ ହେଲେ ରାଜନୈତିକ ଦଳମାନେ ଦଙ୍ଗା ଓ ହିଂସା କରନ୍ତି ଯାହା ଏବେ ବିଜୁ ଜନତା ଦଳ ଝାରସୁଗୁଡାରେ କରୁଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜେପି ଶାସିତ ରାଜ୍ୟକୁ ଅଙ୍ଗୁଳି ଉଠାଉଥିବା ବିଜୁ ଜନତା ଦଳ ଜାଣିରଖୁ ଯେ, ବିଜେପି ଶାସିତ ରାଜ୍ୟରେ ଦଙ୍ଗାକାରୀଙ୍କ ଘର ଉପରେ ବୁଲଡୋଜର୍ ଚଢ଼ାଇ ଦିଆଯାଏ, ଦଙ୍ଗାକାରୀଙ୍କ ପୋଷ୍ଟର ସର୍ବସାଧାରଣ ଜାଗାରେ ଲଗାଇ ଦିଆଯାଏ । ବିଜୁ ଜନତା ଦଳ ସରକାରର ସତ୍‌୍‌ସାହସ ଅଛି କି, ସେମାନେ ସମ୍ବଲପୁରରେ ଯେଉଁମାନେ ଦଙ୍ଗା କଲେ ସେମାନଙ୍କ ଘର ଉପରେ ବୁଲଡୋଜର ଚଢ଼ାଇ ପାରିବେ । ନିଜେ ସମ୍ବଲପୁରର ବରେଇପାଲି ଥାନା ଆଇଆଇସି ଦେଇଥିବା ଏଫଆଇଆରରେ ୧୬୦ଜଣ ସଂଖ୍ୟାଲଘୁ ଯୁବକ ଦଙ୍ଗା କରିଛନ୍ତି ବୋଲି ଲେଖିଥିଲେ । ମାତ୍ର ହାତଗଣତି କେତେଜଣ ଗିରଫ ହୋଇଛନ୍ତି । ଓଡ଼ିଶା ପୋଲିସ ସତ୍‌ସାହସ ଅଛି କି ଯେ, ବାକି ସମସ୍ତଙ୍କର ଫଟୋ ଓ ପୋଷ୍ଟର ସର୍ବସାଧାରଣରେ ଫେରାର ଅଛନ୍ତି ବୋଲି ଲଗାଇ ପାରିବେ । ବିଜୁ ଜନତା ଦଳ ହିଂସାକାରୀ, ଦଙ୍ଗାକାରୀ, ବଳତ୍କାରୀଙ୍କ ବଳ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Spread the love