ଆଉ ୩ ମାସ କୋହଳ ଟ୍ରାଫିକ ନିୟମ

ନୂଆ ଟ୍ରାଫିକ ନିୟମ ତଥା ଆରଟିଓ ଯାଞ୍ଚକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି । ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘୋଷଣା କରିଛନ୍ତି । ଶୂନ୍ୟକାଳରେ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ଜନସାଧାରଣଙ୍କ ଦୁର୍ଦ୍ଦଶା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ଆଟିଓ ଯାଞ୍ଚ ପାଇଁ ଆଉ ତିନି ମାସ କୋହଳ କରିବାକୁ ଅନୁରୋଧ କରିଥିଲେ । ବିଭାଗୀୟ ମନ୍ତ୍ରୀ ଏହା ବିଚାର କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେବା ପରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆଣି ଗୃହରେ ନିଷ୍ପତ୍ତି ଶୁଣାଇଥିଲେ ।
ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ନଥିବା ଲୋକଙ୍କୁ ପୁଣି ତିନିମାସ ମହଲତ ଦିଆଯାଇଛି । ଅନ୍ୟଥା ପୂର୍ବଭଳି ସାଧାରଣ ଟ୍ରାଫିକ ନିୟମ ପାଳନରେ କୌଣସି କୋହଳ କରାଯିବ ନାହିଁ । ଅର୍ଥାତ୍ ହେଲମେଟ୍, ସିଟ୍ ବେଲ୍ଟ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡ଼ିବ । ସେହିଭଳି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ରେ ଗପିବା, ମଟରସାଇକେଲରେ ତିନି ଜଣ ବସିବା ଏବଂ ମଦ ପିଇ ଡ୍ରାଇଭିଂ କଲେ ଟ୍ରାଫିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସେପ୍ଟେମ୍ବର ୧ ରୁ ରାଜ୍ୟରେ ଲାଗୁ ହୋଇଥିଲା ନୂଆ ମୋଟରଯାନ ଆଇନ । ଏହି ନିୟମ ଲାଗୁ ପରେ ଆରଟିଓ ଓ ପୁଲିସର ବ୍ୟାପକ ଧରପଗଡ଼ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ । ଗାଡ଼ି କାଗଜପତ୍ର ଠିକଠାକ୍ ଓ ଡ୍ରାଇଭିଂ ଲାଇସେନସ୍ ନ ଥିବାରୁ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥିଲା । ଫଳ ହେଲା ଲୋକମାନଙ୍କ ଅସନ୍ତୋଷ ଭୀଷଣ ରୂପ ନେଲା । ରାଜଧାନୀର ରାଜମହଲ ରଣକ୍ଷେତ୍ର ପାଲଟିଲା । ଲୋକଙ୍କ ଦୁର୍ଦ୍ଦଶା ଓ ଅସନ୍ତୋଷ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଟ୍ରାଫିକ ଆଇନକୁ ୩ ମାସ କୋହଳ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୟରେ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ଠିକ କରିବାକୁ କୁହାଯାଇଥିଲା ।
ତେବେ ଭିତ୍ତିଭୂମି ଅଭାବରୁ ଏହି ତିନିମାସ ସମୟ ଯଥେଷ୍ଟ ହୋଇନାହିଁ । ଗତ କିଛି ଦିନ ହେଲା ବିଭିନ୍ନ ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗିରହିଥିଲା । ଭୁବନେଶ୍ୱରରେ ଆରଟିଓ ଅଫିସରେ କାଗଜପତ୍ର କରିବାକୁ ଲୋକେ ରାତି ଅଧରୁ ଲମ୍ବା ଲାଇନ ଦେଇଥିଲେ । ଡିସେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି କରିବାକୁ ପରିବହନ ମନ୍ତ୍ରୀ ବାରମ୍ବାର ଚେତାବନୀ ଦେଉଥିବାରୁ ଲୋକଙ୍କ ହୋସ୍ ଉଡ଼ିଯାଇଥିଲା । ନିୟମକୁ ଆଉ କିଛି ମାସ କୋହଳ କରିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଚାପ ବଢ଼ିଥିଲା ।
ଆଜି ବିଧାନସଭାରେ ଶାସକ ଦଳ ସଭ୍ୟ ଦେବୀପ୍ରସାଦ ମିଶ୍ର ଏହି ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ । ନିୟମ ଆଉ ୩ ମାସ କୋହଳ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ଦଳର ଅନ୍ୟତମ ବରିଷ୍ଠ ସଭ୍ୟ ପ୍ରଦୀପ ମହାରଥୀ, କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଅନୁରୂପ ଦାବି କରିଥିଲେ । ବାଚସ୍ପତି ଏହା ବିଚାରକୁ ନେଇ ନିଷ୍ପତ୍ତିର ପୁନର୍ବିଚାର କରାଯାଇପାରେ ବୋଲି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମୋଦ ଆଣି ମନ୍ତ୍ରୀ ଶ୍ରୀ ବେହେରା ବିଧାନସଭାରେ ନିଷ୍ପତ୍ତି ଘୋଷଣା କରିଥିଲେ

Spread the love