ମନ୍ତ୍ରିମଣ୍ଡଳରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ! ବାଚସ୍ପତିଙ୍କ ପରେ ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା ଦେଇଛନ୍ତି ବୋଲି ଉଭୟ ଶ୍ରୀକାନ୍ତ ସାହୁ ଓ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ଏହି ଇସ୍ତଫା ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳର ସୂଚନା ଦେଉଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ଅନ୍ୟ ପକ୍ଷରେ ନବୀନ ମନ୍ତ୍ରିମଣ୍ଡଳର ଏହି ଦୁଇ ସଦସ୍ୟଙ୍କ ନାମରେ ସଂଗୀନ ଅଭିଯୋଗ ଥିଲା।

୨୦୨୨ରେ ହୋଇଥିବା ଅଦଳବଦଳରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ତାଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ(ରାଷ୍ଟ୍ରମନ୍ତ୍ରୀ-ସ୍ବାଧୀନ) ମିଳିଥିଲା । ସେହିପରି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ଦଳର ଭାବମୂର୍ତ୍ତିକୁ ନିର୍ମଳ ରଖିବା ପାଇଁ ଏହି ଦୁଇ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। କାରଣ ଶ୍ରୀକାନ୍ତ ନାମରେ ପୂର୍ବରୁ ବିଜେଡି ଦଳରେ ୨୦ବର୍ଷ ଧରି କାର୍ଯ୍ୟ କରିଥିବା ଜଣେ ନେତ୍ରୀ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ। ସେହିପରି ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପରେ ଆଙ୍ଗୁଳି ଉଠିଥିଲା।
ଏହା ପୂର୍ବରୁ ଆଜି ସମସ୍ତଙ୍କୁ ଚକିତ କରି ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ। ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ।

ଉଲ୍ଲେଖ ଥାଉ କି ଗତ ଜୁନ, ୨୦୨୨ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ ପରିବର୍ତ୍ତନ ହୋଇଥିଲା। ସେତେବେଳେ ସବୁମନ୍ତ୍ରୀ ଇସ୍ତଫା ଦେଇଥିଲେ ଓ ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ। ଏଥିରେ ଅନେକ ନୂଆ ମୁହଁକୁ ସାମିଲ କରାଯାଇଥିବାବେଳେ ବିକ୍ରମ କେଶରୀଙ୍କୁ ବାଚସ୍ପତି କରାଯାଇଥିଲା।

Spread the love