5T ସଚିବଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ; ଅନେକ ପ୍ରକଳ୍ପ ପରିଦର୍ଶନ କରି ଉନ୍ନତିକରଣ ପାଇଁ ପଦକ୍ଷେପ

କଳାହାଣ୍ଡି ବିକାଶର ଗ୍ରାଉଣ୍ଡ ସମୀକ୍ଷା । ମାଣିକେଶ୍ବରୀଙ୍କ ମାଟିର ସାରଥୀ ସାଜିଛନ୍ତି ଫାଇଭ ଟି ସଚିବ । ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି ଭିକେ ପାଣ୍ଡିଆନ୍ । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଏଠାରେ ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ପରେ ସେ କଳାହାଣ୍ଡିରେ ଜଳସେଚନର ବିକାଶ ପାଇଁ ହାତୀ ନଦୀର ଉଭୟ ପାର୍ଶ୍ବରେ ଅଧିକ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କରିବା ପାଇଁ ପାଣ୍ଡିଆନ ଜଳସଂପଦ ବିଭାଗର ଇଂଜିନିଅର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏଥିପାଇଁ ସ୍ବତନ୍ତ୍ର ସର୍ଭେ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଏକ ଯୁକ୍ତ-୩ ଡିଗ୍ରୀ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଫାଇଭ ଟି ସଚିବ କହିଥିଲେ । ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ।

କଳାହାଣ୍ଡିର ଥୁଆମୁଳ-ରାମପୁର ଠାରେ ପ୍ରସିଦ୍ଧ ମା ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରି ସେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ । କଲମପୁର ମିନି ଷ୍ଟାଡିଅମ ଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ମଙ୍ଗଳପୁର ବ୍ୟାରେଜ ଠାରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ ।

ସେଠାରେ ମା ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ। ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ। ପରେ ଆମପାଣି ଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ପୂର୍ଜାର୍ଚ୍ଚନା କରିଥିଲେ ଫାଇଭ ଟି ସଚିବ । ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 15 ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

 ଧର୍ମଗଡ଼ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ ଦେଇଥିଲେ। ଗମ୍ଭାରୀଗୁଡା ଠାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ଆଶ୍ରମରେ ଅନ୍ତେବାସୀଙ୍କ ସହିତ କିଛି ସମୟ ବିତାଇବା ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ଭି.କେ ପାଣ୍ଡିଆନ । ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

Spread the love