ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । କଳାରେ ମୋଟ୍ ୧ଲକ୍ଷ ୮୧ ହଜାର ୮୬୯ଜଣ ଛାତ୍ରଛାତ୍ରୀ ପାସ୍ । ହେଲେ ଫେଲ ହେଇଛନ୍ତି ୪୮ ହଜାର ପିଲା

ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ୭୮.୮୮ ପ୍ରତିଶତ ପାସହାର ସହ କଳାରେ ମୋଟ୍ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ମୋଟ ୩୮୬୦ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି । ବିଜ୍ଞାନ ଓ ବାଣିଜ୍ୟ ପରି କଳାରେ ମଧ୍ୟ କମିଛି ପାସହାର । ଗତବର୍ଷ ତୁଳନାରେ ପାସହାର ପ୍ରାୟ ୪ ପ୍ରତିଶତ କମିଯାଇଛି । ଖାଲି ସେତିକି ନୁହେଁ, ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ଗତବର୍ଷ ତୁଳନାରେ କମିଛି ପାସହାର ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ଲକ୍ଷ ୩୦ ହଜାର ୫୪୫ ଜଣ ପରୀକ୍ଷା ଦେଇଥିଲେ । ୧ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୨୪ ଜଣ ପିଲା ୯୦%ରୁ ଅଧିକ ମାର୍କ ରଖି ପାସ୍ କରିଛନ୍ତି । ତେବେ ପୁଣିଥରେ ପୁଅଙ୍କୁ ପଛରେ ପକାଇ ଯୁକ୍ତ ଦୁଇ କଳାରେ ଭଲ ପ୍ରଦର୍ଶନ କରିଛନ୍ତି ଝିଅ ।

ବାଲେଶ୍ୱର ଜିଲ୍ଲାରେ ପାସହାର ସର୍ବାଧିକ ୮୪.୯୭% ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ପାସ୍ହାର ସର୍ବନିମ୍ନ ୭୦.୭୪% ରହିଛି । ଚଳିତବର୍ଷ ପାସହାର କମିବା ପଛରେ ମୁଖ୍ୟତଃ ୩ଟି କାରଣ ଥିବା କୁହାଯାଉଛି ।

କାହିଁକି କମିଲା ପାସହାର ?

  • ଗତବର୍ଷ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ହୋଇଥିବାବେଳେ ଚଳିତଥର ୧୦୦ ପ୍ରତିଶତ ସିଲାବସରୁ ପରୀକ୍ଷା ଦେଇଛନ୍ତି ପିଲା
  • ଗତବର୍ଷ ୫୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନ ରହିଥିଲା କିନ୍ତୁ ଚଳିତବର୍ଷ ଛାତ୍ରଛାତ୍ରୀ ୩୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି
  • ଏଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ପୂର୍ବରୁ କୋଭିଡ ସମୟରେ ଦଶମ ପରୀକ୍ଷା ଦେଇନଥିଲେ

ସୂଚନାଯୋଗ୍ୟ ଯେ, ଖାତା ରି-ଚେକିଂ ପାଇଁ ଆଗାମୀ ୧୨ ତାରିଖରେ ଓ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Spread the love