ଓଡ଼ିଶା ସରକାରଙ୍କ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ପ୍ରତିଶ୍ରୁତି କୁଆଡେ ଗଲା ? ଧର୍ମେନ୍ଦ୍ର ପ୍ରଧାନ

ପାଇକମାଲ, ଜୁନ ୧୧ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ ରେ ଯୋଗଦେଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବରଗଡ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ସଠିକ୍ ଜଳସେଚନ ବ୍ୟବସ୍ଥା ହୋଇନାହିଁ । ଏହି ସ୍ଥାନରେ ପାଣିର ଅଭାବ ନାହିଁ କିନ୍ତୁ ପାଣିକୁ ପହଞ୍ଚାଇବା ପାଇଁ ସରକାରଙ୍କ ଯୋଜନାର ଅଭାବ ରହିଛି । ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି ପାଳନ ହେଲା ନାହିଁ । ନିର୍ବାଚନ ସମୟରେ ଶାସକ ଦଳ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସେହିପରି ମୋଦି ସରକାର ସାମାଜିକ କାର୍ଯ୍ୟକ୍ରମ ତଥା ଗରିବ କଲ୍ୟାଣ ଯୋଜନାରେ ବରଗଡ଼ ଜିଲ୍ଲା ପାଇଁ ପ୍ରତି ପରିବାର ପିଛା ପାଖାପାଖି ୩ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ୯ ବର୍ଷରେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବରଗଡ଼ ଜିଲ୍ଲାର ୩ ଲକ୍ଷ ୪୧ ହଜାର ୪୭୬ ପରିବାରକୁ ସର୍ବମୋଟ ୧୦ ହଜାର ୨୦୯ କୋଟି ଟଙ୍କା ଦେଇଛନ୍ତି । ଏହି ହିସାବରେ ପରିବାର ପିଛା ପ୍ରାୟ ୨ ଲକ୍ଷ ୯୮ ହଜାର ୯୬୭ ଟଙ୍କା ଅର୍ଥାତ୍ ପାଖାପାଖି ୩ ଲକ୍ଷ ଟଙ୍କା ମିଳିଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଏହାର ବିସ୍ତୁତ ହିସାବ ଦେଇ କହିଛନ୍ତି ଯେ ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବରଗଡ଼ ଜିଲ୍ଲାର ୧୧ ଲକ୍ଷ ୭୩ ହଜାର ୬୬୭ ଜଣ ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨,୫୩୫ କୋଟି ଟଙ୍କା ଦେଇଛନ୍ତି । ଆବାସ ଯୋଜନା ଗ୍ରାମୀଣରେ ୧୫୧୧.୯୭ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୨୫ ହଜାର ୯୪୧ ଘର ଦିଆଯାଇଛି । ଆବାସ ଯୋଜନା ସହରରେ ୧୭୩.୧୬ କୋଟି ଟଙ୍କା ମୂଲ୍ୟର ୪ ହଜାର ୭୪୦ ଘର ପ୍ରଦାନ କରାଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ୩୮୦ କୋଟି ଟଙ୍କା ମୂଲ୍ୟର ୩ ଲକ୍ଷ ୧୬ ହଜାର ୧୨୭ ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି । ୨ ଲକ୍ଷ ୧ ହଜାର ୪୨୧ ଉଜ୍ଜ୍ୱଳା ଗ୍ୟାସ ହିତାଧିକାରୀଙ୍କୁ ୩୨.୨୨ କୋଟି ଟଙ୍କା ଦିଆଯାଇଛି ।

ମନରେଗାରେ ୨.୭୭ କୋଟି ଦିନର କାମ ଦିଆଯାଇଛି ଏବଂ ଏଥିପାଇଁ ୮୨୭ କୋଟି ଟଙ୍କା ଦିଆଯାଇଛି । ୧୦ ଲକ୍ଷ ୨୯ ହଜାର ୯୩୪ ଜଣଙ୍କୁ ୩୫୧୦.୫୯ କୋଟି ଟଙ୍କା ମୁଦ୍ରା ଋଣ ପ୍ରଦାନ କରାଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆରେ ୧୫୩ ଜଣ ଯୁବକଙ୍କୁ ୩୫.୦୩ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ବାବଦକୁ ୭୫ ହଜାର ୬୫୧ ଜଣଙ୍କୁ ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏନଆରଏଲଏମର ୧ ଲକ୍ଷ ୧୯ ହଜାର ୨୨୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୮୪ କୋଟିର ଋଣ ସହାୟତା ଦିଆଯାଇଛି । ୧୬ ଲକ୍ଷ ୦୪ ହଜାର ୪୩୭ ଘରକୁ ୨୦ କୋଟି ଟଙ୍କା ମୂଲ୍ୟର ଏଲଇଡି ବଲବ ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ- ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ମନ୍ତ୍ରରେ ଓଡ଼ିଶା ଅନେକ ଗରିବ କଲ୍ୟାଣ ଯୋଜନାରୁ ଲାଭ ପାଇଛି । ନରେନ୍ଦ୍ର ମୋଦିଙ୍କ ଶାସନରେ ଗରିବ କଲ୍ୟାଣରେ ଗରିବ, ମହିଳା, ଚାଷୀ, ଯୁବ, ବଞ୍ଚିତ କେନ୍ଦ୍ରବିନ୍ଦୁରେ ଅଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ମଇ ୧୮ ତାରିଖରେ ବରଗଡ ନୂଆପଡା ୧୪୨ କିମି ରେଳ ଲାଇନକୁ ନୀତିଗତ ଭାବେ ସ୍ୱୀକୃତି ଦେଇଛନ୍ତି । ଏଭଳି କମ ସମୟରେ ଚିନ୍ତା ମୋଦି ସରକାର ହିଁ କରିପାରନ୍ତି ।

ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶା ୨.୨୨ ଲକ୍ଷ କୋଟି ଟଙ୍କା ପାଇଛି । କଂଗ୍ରେସ ସରକାରରେ ଓଡ଼ିଶା ଖଣି କ୍ଷେତ୍ରରେ ବାର୍ଷିକ ୫ ହଜାର କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସୁଧାର କାରଣରୁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି । ଜିଏସଟି ସଂଗ୍ରହରେ ଓଡ଼ିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୯ ହଜାର ୪୪୨ କୋଟି ମିଳିଛି ।

Spread the love