ମୁମ୍ବାଇ-ପୁଣେ ରାସ୍ତାରେ ଯାଉଥିବା କେମିକାଲ୍ ଟ୍ୟାଙ୍କରରେ ବିସ୍ଫୋରଣ, ୪ ମୃତ

ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ମଙ୍ଗଳବାର ଏକ କେମିକାଲ୍ ଟ୍ୟାଙ୍କର ଓଲଟି ପଡ଼ିବାରୁ ସେଥିରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୩ରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଲୋନାଭାଲା ନିକଟ ଖଣ୍ଡାଲା ଘାଟ ସେକ୍ସନର ଏକ ପୋଲ ଉପରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଏକ୍ସପ୍ରେସୱେର ମୁମ୍ବାଇ ଅଭିମୁଖେ ଯାଉଥିବା ଅଂଶରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା। ଶହ ଶହ ଲିଟର ଅଚିହ୍ନା ରାସାୟନିକ ପଦାର୍ଥ ରାସ୍ତା ଉପରେ ପଡିଥିବାରୁ ଗାଡି ଖସିଯିବା ସହ ଅଧିକ ଦୁର୍ଘଟଣା ଘଟିବାର ଆଶଙ୍କା ବଢିଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଟ୍ୟାଙ୍କରଟି କୌଣସି କାରଣରୁ ଓଲଟି ପଡ଼ିବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା । ଏହା ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ବିସ୍ପୋରଣ ଯୋଗୁଁ ଘଟଣାସ୍ଥଳରେ ହିଁ ୪ ଜଣ ବ୍ୟକ୍ତି ଜଳିଯାଇ ମୃତ୍ୟୁବରଣ କରିଥିଲେ । ତେବେ ଏହି ଟ୍ୟାଙ୍କରରେ କେଉଁ ରାସାୟନିକ ପଦାର୍ଥ ଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

ଦୂରରୁ ଟ୍ୟାଙ୍କର ଜଳୁଥିବା ବେଳେ ଆକାଶରେ ଅତି କମରେ ୧୫ରୁ ୧୬ ମିଟର ପର୍ଯ୍ୟନ୍ତ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। କୁନେଗାଁ ନିକଟରେ ପୋଲ ତଳେ କିଛି ଜଳୁଥିବା ରାସାୟନିକ ପଦାର୍ଥ ପଡ଼ିଯିବାରୁ ତଳକୁ ଯାତାୟତ ବନ୍ଦ ହୋଇଯାଇଥିଲା। ତେବେ ଦ୍ରୁତ ଗତିରେ ଆସୁଥିବା ଜଣେ ବାଇକ୍ ଆରୋହୀ ରାସାୟନିକ ପଦାର୍ଥ ଉପରକୁ ଖସି ପଡ଼ିଥିଲେ। ଯେଉଁଥିରେ ଜଣେ ବ୍ୟକ୍ତି ଓ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି ।

Spread the love