ଭରଣପୋଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ମିଳିଲା ୫୫ ହଜାର ଟଙ୍କା ମୂଲ୍ୟର ୨୮୦ କିଲୋ କଏନ୍‌

ଜୟପୁର: ଜୟପୁରର ଦଶରଥ କୁମାଓ୍ଵତ୍‌ ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ଅଭିଯୋଗରେ ଜେଲ୍‌ ଯାଇଥିଲେ।

ପରେ ତାଙ୍କ ତରଫରୁ ଭରଣପୋଷଣ ବାବଦରେ ଅର୍ଥ ଦେବା ପାଇଁ ତାଙ୍କ ପରିବାର ଲୋକେ ୫୫ ହଜାର ଟଙ୍କା ମୂଲ୍ୟର ୨୮୦ କିଲୋ କଏନ୍‌ କୋର୍ଟରେ ଜମା କରିଛନ୍ତି। ଅନ୍ୟ କେହି ହୋଇଥିଲେ ବ୍ୟାଙ୍କ ଚେକ୍‌ ଜାରି କରିଥାନ୍ତେ କିମ୍ବା ୫୦୦ ଟଙ୍କିଆର ୧୧୦ଟି ନୋଟ୍‌ ଜମା କରିଥାନ୍ତେ। ଚତୁର ବ୍ୟକ୍ତି ହୋଇଥିଲେ ଏହି ସୁଯୋଗକୁ ଉପଯୋଗ କରି କିଛି ୨୦୦୦ ଟଙ୍କିଆ ନୋଟ୍‌ରୁ ମୁକ୍ତି ପାଇଥାନ୍ତେ। ମାତ୍ର ୨୭-୨୮ଟି ନୋଟ୍‌ ଯଥେଷ୍ଟ ହୋଇଥାନ୍ତା।

କିନ୍ତୁ ଦଶରଥଙ୍କ ସମ୍ପର୍କୀୟମାନେ ଜୟପୁର ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟକୁ ୫୫ ହଜାର ଟଙ୍କାର କଏନ୍‌ ଭର୍ତ୍ତି ଥିବା ୭ଟି ବାକ୍ସ ଆଣିଥିଲେ। ଏହି କଏନଗୁଡ଼ିକ ୧ ଟଙ୍କା, ୨ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କା ମୂଲ୍ୟର ଥିଲା ଏବଂ ଏହାର ଓଜନ ପାଖାପାଖି ୨୮୦ କିଲୋଗ୍ରାମ ଥିଲା। ଯୌତୁକ ନିର୍ଯାତନା ମାମଲାରେ ଦଶରଥଙ୍କ ପତ୍ନୀଙ୍କ ପାଇଁ ଦିଆଯାଇ ଥିବା ଭରଣପୋଷଣର ଏହା ଏକ ଆଂଶିକ ପ୍ରଦାନ (ପାର୍ଟ ପେମେଣ୍ଟ) ଅଛି।

ଏହି ଘଟଣାରେ ବିଚାରପତି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ‘କିନ୍ତୁ ଯେଉଁ ଦେଶରେ ସରକାରୀ ମାଲଖାନାରୁ ଜବତ ମଦକୁ ମୂଷା ଖାଲି କରିଦିଅନ୍ତି, ସେଠାରେ କିଛି ବି ସୁଯୋଗ ରହିଥାଏ’ ବୋଲି ମନ୍ତବ୍ୟ ଦେଇ କଏନ୍‌ଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ଓ ଗଣନା ସୁନିଶ୍ଚିତ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ୭ଟି ବିଶାଳ ବାକ୍ସରେ ଥିବା ଏହି ମୁଦ୍ରାଗୁଡ଼ିକର ମୋଟ ଓଜନ ପ୍ରାୟ ୨୮୦ କେଜି ଏବଂ ଏହାର ମୂଲ୍ୟ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଏବଂ ୧୦ ଟଙ୍କା ରହିଛି।

ରିପୋର୍ଟରୁ ପ୍ରକାଶ, ଏହି ମାମଲା ଏକ ଦଶନ୍ଧି ତଳୁ ଆରମ୍ଭ ହୋଇଥିଲା। ଦଶରଥ କୁମାଓ୍ଵତ୍‌ ୧୨ ବର୍ଷ ତଳେ ସୀମାଙ୍କୁ ବିବାହ କରିଥିଲେ। ତେବେ, ବିବାହର କିଛି ବର୍ଷ ପରେ ସୀମା ତାଙ୍କ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଗତ ୫ ବର୍ଷ ହେବ ଏହି ମାମଲାର ଶୁଣାଣି ଚାଲିଛି। ସେପଟେ ସୀମାଙ୍କୁ ୨ ଲକ୍ଷ ୨୫ ହଜାର ଟଙ୍କା ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ କୋର୍ଟ ଦଶରଥଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଦଶରଥ କୋର୍ଟଙ୍କ ନିର୍ଦ୍ଦେଶକୁ ମାନି ନଥିଲେ ଏବଂ ତାଙ୍କୁ ଅଦାଲତ ଅବମାନନା ମାମଲାରେ ଜେଲରେ ଭର୍ତ୍ତି କରାଯାଇଥିଲା।

ଦଶରଥ ଜେଲରେ ଥିବାରୁ ତାଙ୍କ ପରିବାର ଲୋକେ ରକ୍ଷଣାବେକ୍ଷଣ ଅର୍ଥର କିଛି ଅଂଶ ସୀମାଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ସେମାନେ ପ୍ରତିଶୋଧ ପରାୟଣ ହୋଇ ସମସ୍ତ ଦେୟ କଏନରେ ଦେବା ପାଇଁ ଉପାୟ ବାଛିଥିଲେ। ସୀମାଙ୍କ ଓକିଲ ରାମପ୍ରକାଶ କୁମାଓ୍ଵତ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ମୁଦ୍ରାରେ ଏହି ରାଶି ପ୍ରଦାନ କରିବା ଏକ ଉଦ୍ଦେଶ୍ୟମୂଳକ ନିର୍ଯାତନା ଏବଂ ଏହାକୁ ଅମାନବୀୟ ବୋଲି ବିବେଚନା କରାଯାଉ। ଅନ୍ୟପକ୍ଷରେ ଦଶରଥଙ୍କ ଓକିଲ ରମଣ ଗୁପ୍ତା ଯୁକ୍ତି ବାଢ଼ିଥିଲେ ଯେ ଏହି କଏନ୍‌ଗୁଡ଼ିକ ବୈଧ ଭାରତୀୟ ମୁଦ୍ରା ଏବଂ ତେଣୁ ଏହାକୁ ଗ୍ରହଣ କରାଯିବା ଉଚିତ। ଯଥେଷ୍ଟ ସଂଖ୍ୟକ କଏନ୍‌କୁ ବିଚାରକୁ ନେଇ ଅଦାଲତ ସ୍ୱୀକାର କରିଛନ୍ତି ଯେ କଏନ୍‌ଗୁଡ଼ିକୁ ସଠିକ ଭାବରେ ଗଣନା କରିବା ବାସ୍ତବରେ ଏକ ଚ୍ୟାଲେଞ୍ଜ ହେବ।

ଏହାପରେ କୋର୍ଟ ଦଶରଥଙ୍କୁ ପ୍ରତି ବ୍ୟାଗରେ ୧୦ ଟଙ୍କା ଲେଖାଏଁ କଏନ ରଖି ଗଣତି ପ୍ରକ୍ରିୟା ପାଇଁ ଅଦାଲତରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କଏନ୍‌ର ସଠିକ ଗଣନା ପାଇଁ ଜୁନ୍‌ ୨୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

Spread the love