ଅପପୁଷ୍ଟିର ମୁକାବିଲା ହେବ କେମିତି? ଲଗାତାର ୩ ବର୍ଷ ଅଖାଦ୍ୟ ଚାଉଳ ଚିହ୍ନଟ କରିଛି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର : ପୁଣି ପଶ୍ଚିମ ଓଡ଼ିଶାର ୫୬୮୮ ମେଟ୍ରିକ ଟନ୍‌ ଚାଉଳକୁ ବିଆରଏଲ ବା ଖାଦ୍ୟ ପାଇଁ ଅନୁପଯୋଗୀ ଘୋଷଣା କରିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ଏଥିପାଇଁ ଝାରସୁଗୁଡ଼ାର ୪୧ଟି ରାଇସ୍‌ ମିଲରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ ରାଜ୍ୟ ଯୋଗାଣ ବିଭାଗ ୨ ମାସ ପରେ ବି ଏହାକୁ ଗ୍ରହଣ କରିନାହିଁ। ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ କେନ୍ଦ୍ରୀୟ ପ୍ରତିନିଧି ଦଳ ଟିଟିଲାଗଡ଼ ଏବଂ ଝାରସୁଗୁଡ଼ାର ବିଭିନ୍ନ ଅଞ୍ଚଳର ଚାଉଳ ଯାଞ୍ଚ କରି ଏତେ ପରିମାଣର ଚାଉଳକୁ ଖାଦ୍ୟ ପାଇଁ ଅନୁପଯୋଗୀ ଦର୍ଶାଇବା ପରେ ବି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଯୋଗାଣ ବିଭାଗ ଏବଂ ରାଇସ୍‌ ମିଲଗୁଡ଼ିକ ଖାଉଟିଙ୍କୁ ଅଖାଦ୍ୟ ଦେବାରେ ଲାଗିଛନ୍ତି ତା’ର ପ୍ରମାଣ ପ୍ରତିବର୍ଷ ଦେଖିବାକୁ ମିଳୁଛି। ଏଫସିଆଇ ଏବଂ କେନ୍ଦ୍ରୀୟ ପ୍ରତିନିଧି ଦଳ ଲଗାତାର ବିଆରଏଲ କିମ୍ବା ଖାଇବା ଯୋଗ୍ୟ ହୋଇନଥିବା ଚାଉଳ ବିଭିନ୍ନ ଜିଲ୍ଲାର ଗୋଦାମରୁ ଜବତ କରାଯାଉଛି। ରାଇସ୍‌ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳ ସୁପାରିସ କରୁଛନ୍ତି। କିନ୍ତୁ ଲଗାତାର ୩ ବର୍ଷ ହେଲା ରାଜ୍ୟ ଯୋଗାଣ ବିଭାଗ କେବେ କୌଣସି ସୁପାରିସକୁ କାର୍ଯ୍ୟକାରୀ କରିନାହିଁ। ବରଂ ରାଇସ୍‌ ମିଲରଙ୍କ ବିରୋଧରେ ସବୁବେଳେ ନରମ ଆଭିମୁଖ୍ୟ ପୋଷଣ କରି ଆସିଛି।
ସୂଚନା ଅନୁଯାୟୀ, ୨୦୨୦ ମସିହାରେ କେନ୍ଦ୍ରୀୟ ଟିମ୍‌ କଟକ ଏବଂ ଭୁବନେଶ୍ବର ଏଫସିଆଇ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାର ଚାଉଳ ଯାଞ୍ଚ କରି ବିଆରଏଲ ଭାବରେ ଘୋଷଣା କରିଥିଲେ। ୨୦୨୧ ମସିହାରେ ପଶ୍ଚିମ ଓଡ଼ିଶାର ୧୭୪୦ କ୍ବିଣ୍ଟାଲ ଅର୍ଥାତ ୨୪ କୋଟିର ଚାଉଳକୁ ନିମ୍ନମାନର କହି ବଦଳ ପାଇଁ ନିର୍ଦେଶ ଦେଇଥିଲେ। ରାଇସ୍‌ ମିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ବର୍ତ୍ତମାନ କିନ୍ତୁ ପୁରୁଣା ସବୁ ରେକର୍ଡ ଭାଙ୍ଗି ୫ ହଜାରରୁ ଅଧିକ ମେଟ୍ରିକ ଟନ୍‌ ଚାଉଳକୁ ଅଖାଦ୍ୟ ଘୋଷଣା କରାଯାଇଛି। ଏହା ସତ୍ତ୍ବେ ଝାରସୁଗୁଡ଼ାର ୪୧ଟି ରାଇସ ମିଲ୍‌କୁ ମଧ୍ୟ ଯୋଗାଣ ବିଭାଗ ସୁରକ୍ଷା ଦେଉଛି।

ଅପରପକ୍ଷରେ ପିଡିଏସ, ଆଇସିଡିଏସ ଏବଂ ସ୍କୁଲ ମଧ୍ୟାହ୍ନ ଭୋଜନରେ ବିତରଣ କରାଯାଉଥିବା ୧ କ୍ବିଣ୍ଟାଲ ଚାଉଳ ପାଇଁ ସରକାର ୩୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ ତ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଛି। ଏତେ ଟଙ୍କା ଖର୍ଚ୍ଚ ପରେ ବି ରାଇସ୍‌ ମିଲରଙ୍କ ଲାଭ ପାଇଁ କିଛି ଅସାଧୁ କର୍ମଚାରୀ ଯଦି ଲୋକଙ୍କୁ ଅଖାଦ୍ୟ ଚାଉଳ ଯୋଗାଣ କରିବେ ଅପପୁଷ୍ଟିର ମୁକାବିଲା କିଭଳି ହେବ ତାକୁ ନେଇ ସନ୍ଦେହ ରହିଛି।

Spread the love