ଏକାମ୍ର ପ୍ରକଳ୍ପରେ ରାଜନୀତି ନ କରି ଐତିହ୍ୟ ଓ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ଭୁବନେଶ୍ୱର, ତା.୨୮/୦୬: ପୁରୁଣା ଐତିହ୍ୟ ଓ କୀର୍ତିରାଜି ଆମର ଦୁଃମୂର୍ଲ୍ୟ ସମ୍ପଦ । ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର । ରାଜ୍ୟ ସରକାରଙ୍କୁ ଅନୁରୋଧ, ଏକାମ୍ର ପ୍ରକଳ୍ପରେ ରାଜନୀତି ନକରି ଐତିହ୍ୟ ଓ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଆମ ପ୍ରିୟ ଓଡ଼ିଶା ହେଉଛି ସଂସ୍କୃତି ତଥା ଆଧ୍ୟାତ୍ମିକ ଐତିହ୍ୟର ଭଣ୍ଡାର । ଭାରତର ସମୃଦ୍ଧ ଇତିହାସ ରୂପକ ମୁକୁଟର ଏକ ରତ୍ନ । ଆମ ମାଟିରେ ଥିବା ଅନେକ ପବିତ୍ର ସ୍ଥାନଗୁଡ଼ିକ ମଧ୍ୟରେ, ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର ଏକ ବିଶେଷ ସ୍ଥାନ ବହନ କରେ । ଏକାମ୍ର ପ୍ରକଳ୍ପର ଭୂମିପୂଜନ ନାଁରେ ବିଶ୍ୱରେ ପରିଚିତ ଥିବା ୧୧୦୦ ବର୍ଷ ତଳର ପୁରୁଣା ଐତିହ୍ୟ, କୀର୍ତିରାଜି, ସଂସ୍କୃତି ଓ ପରମ୍ପରାକୁ ଅଣଦେଖା କରାନଯାଉ । ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ଆଜି ସରକାରଙ୍କ ସୌନ୍ଦର୍ଯ୍ୟକରଣର କଥା ମନେପଡୁଛି । ସୌନ୍ଦର୍ଯ୍ୟକରଣକୁ ଆମର ବିରୋଧ ନାହିଁ କିନ୍ତୁ ପ୍ରାଚୀନ ଐତିହ୍ୟ, କୀର୍ତିରାଜିର ପୁନରୁଦ୍ଧାର ଏବଂ ପ୍ରତ୍ନତତ୍ୱର ଅନୁସନ୍ଧାନ କେମିତି ମିଳିବ, ସେଥିପାଇଁ ଆମେ ଚିନ୍ତିତ ।
ଭାରତୀୟ ପ୍ରତ୍ନତାତ୍ୱିକ ଓ ସର୍ବେକ୍ଷଣ ସଂସ୍ଥା(ଇଝଓ) ଅଧିନରେ ସଂରକ୍ଷିତ ଥିବା ଶୁକଶାରୀ ମନ୍ଦିର ରାଜ୍ୟ ସରକାରଙ୍କ ବୁଲଡୋଜର ବୁଲିବା ବେଳେ ପ୍ରାଚୀନ ଭଗ୍ନାବଶେଷ ତଥା ରାଜ୍ୟ ସରକାର ଅଣଦେଖା କରୁଥିବା ପୁରାତନ ସମୟର ଐତିହାସିକ କୀର୍ତିରାଜି ସାମ୍ନାକୁ ଆସିଥିଲା । ଏହା ଉପରେ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍କାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତୁରନ୍ତ ପ୍ରତିକ୍ରିୟା ସ୍ୱରୂପ ଏକ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ (ଜିପିଆର) ସର୍ଭେ ଆରମ୍ଭ କରାଯାଇଥିଲା । ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ଦ୍ୱାରା ଆଇଆଇଟି ଗାନ୍ଧିନଗରର ବୈଜ୍ଞାନିକମାନଙ୍କ ସହଯୋଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଐତିହାସିକ ଅଭିଜ୍ଞତାର ବ୍ୟବହାର କରି ଆରମ୍ଭ ହୋଇଥିଲା ସର୍ଭେ । ଜିପିଆର ହେଉଛି ଏକ୍ସରେ ଭଳି କୌଣସି ଜିନିଷକୁ ନ ଭାଙ୍ଗି, ତା’ର ମାଟି ତଳେ ଥିବା ସଂରଚନା ଓ ସ୍ମୃତିସ୍ଥାନ ଚିହ୍ନଟ କରିବାର ଏକ ଜ୍ଞାନକୌଶଳ ।
ସେ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିରର ଚତୁର୍ପାଶ୍ୱ, ଦେବୀପାଦହରା ପୁଷ୍କରିଣୀ ଓ ଶୁକଶାରୀ ମନ୍ଦିର ପରିସରରେ ଏହି ଟିମ୍ ଏକ ବ୍ୟବସ୍ଥିତ ଓ ପୁଙ୍ଖାନୁପୁଙ୍ଖ ସର୍ଭେ କରିଥିଲେ । ଅତ୍ୟାଧୁନିକ ଜିପିଆର୍ ଯନ୍ତ୍ରପାତିର ବ୍ୟବହାର କରି, ମାଟିର ବିଭିନ୍ନ ସ୍ତରକୁ ସେମାନେ ପରୀକ୍ଷଣ କରିଥିଲେ । ଫଳରେ ଏକ ଥ୍ରିଡି ପ୍ରତିଛବି ସୃଷ୍ଟି କରିବା ସହ ତଳେ ଲୁଚି ରହିଥିବା ସମ୍ଭାବ୍ୟ ପ୍ରତ୍ନତାତ୍ୱିକ ଧରୋହରର ମ୍ୟାପିଂ ସମ୍ଭବ ହୋଇଥିଲା । ଏହି ସର୍ଭେକ୍ଷଣରେ ଅନେକ ଲୁଚି ରହିଥିବା ସତ୍ୟ ସାମ୍ନାକୁ ଆସିଥିଲା । ଯାହା ଆମର ପୁରାତନ ସଭ୍ୟତା ଓ ପୂର୍ବପୁରୁଷମାନଙ୍କର ଭକ୍ତିର ପ୍ରମାଣ ରଖିଥିଲା । ସେହିପରି ଖନନ ଓ ଅଧ୍ୟୟନ ପାଇଁ ଅପେକ୍ଷାରତ, ମାଟି ତଳେ ପୋତି ହୋଇଥିବା ସଂରଚନା, ଯେପରିକି ମନ୍ଦିର, ସଂଲଗ୍ନ ପ୍ରାଚୀର ଓ ଆବାସିକ ସ୍ଥାନ ଗୁଡ଼ିକୁ ମଧ୍ୟ ଲୋକଲୋଚନକୁ ଆଣିଥିଲା । ଏହି ଅନୁସନ୍ଧାନ ଅପାର ସାଂସ୍କୃତିକ, ଐତିହାସିକ ଓ ପ୍ରତ୍ନତାତ୍ୱିକ ମୂଲ୍ୟ ଧାରଣ କରିବା ସହ ଆମ ଗୌରବମୟ ଉଜ୍ଜ୍ୱଳ ଅତୀତର ବିସ୍ତୃତ ଚିତ୍ର ଆଙ୍କିବାକୁ ବଳ ଯୋଗାଇଥିଲା ।
ଏହି ଅନୁସନ୍ଧାନର ମହତ୍ୱକୁ ଅଣଦେଖା କରିହେବ ନାହିଁ । କିନ୍ତୁ ଏଏସଆଇ ସହଯୋଗରେ ଆଇଆଇଟି ଗାନ୍ଧିନଗରର ଦେଇଥିବା ତଥ୍ୟକୁ ଓଡ଼ିଶା ସରକାର ଦୁଇ ବର୍ଷ ହେଲା ଅଣଦେଖା କରିଛନ୍ତି । ଠିକ୍ ସେହି ସମୟରେ ପୁଣି ଏକ ଭୂମିପୂଜନ ନାଁରେ ରାଜନୈତିକ ମଂଚ ତିଆରି କରି ଲୋକଙ୍କୁ ଭୂଆଁ ବୁଲାଇବାର ଯେଉଁ ପ୍ରହେଳିକା ତିଆରି କରାଯାଉଛି, ତାହାକୁ ଆମେ ନିନ୍ଦା କରୁଛୁ । ଗତକାଲି ଏକ ଘଟଣା ଗଣମାଧ୍ୟମରେ ଦେଖିବାକୁ ପାଇଲି, କ୍ୟାବିନେଟ୍ ମନ୍ତ୍ରୀଙ୍କ ଆଗରେ ବ୍ୟକ୍ତିଗତ ସହାୟକ ଚାଲୁଛନ୍ତି । ବ୍ୟକ୍ତିଗତ ସହାୟକଙ୍କ ପଛରେ ଯାଉଛନ୍ତି କ୍ୟାବିନେଟ ମନ୍ତ୍ରୀ । ଏହା ହିଁ ହେଉଛି ଓଡ଼ିଶାର ଶାସନ ଅବସ୍ଥା । ଏ ସବୁକୁ ଅନୁଧ୍ୟାନ କଲେ ସୌନ୍ଦର୍ଯ୍ୟକରଣ ନାଁରେ କେବଳ ରାଜନୀତି କରିବା ହିଁ ମୂଳ ଲକ୍ଷ୍ୟ ବୋଲି ଜଣାପଡୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜିଲ୍ଳା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love