ସାଧାରଣ ସଂଚୟକାରୀଙ୍କ ପାଇଁ ଖୁସିଖବର, ବଢିଲା ସ୍ବଳ୍ପ ସଂଚୟ ସ୍କିମର ସୁଧହାର

ନୂଆଦିଲ୍ଲୀ : କ୍ଷୁଦ୍ର ସଞ୍ଚୟ ଯୋଜନା ଗୁଡ଼ିକରେ ନିବେଶ କରୁଥିବା ନାଗରିକଙ୍କୁ ସରକାର ଖୁସି ଖବର ଆଣିଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ପାଇଁ ସରକାର କେତେକ ସ୍ବଳ୍ପ ସଂଚୟ ଯୋଜନା ଉପରେ ସୁଧ ହାର ୦.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସରକାର ୨ ବର୍ଷିଆ ଡାକଘର ଜମା ଉପରେ ୦.୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିଥିବା ବେଳେ ୫ ବର୍ଷର ରିକରିଂ ଡିପୋଜିଟ୍ ଉପରେ ୦.୩୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସ ପାଇଁ ସରକାର ଏହି ବୃଦ୍ଧି କରିଛନ୍ତି । ତେବେ ପିପିଏଫ (ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ), ଜାତୀୟ ସଞ୍ଚୟ ପ୍ରମାଣପତ୍ର, କିଷାନ ବିକାଶ ପତ୍ର, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଓ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି । ଏସବୁ ସ୍କିମ ପାଇଁ ବିଗତ ୨ଟି ତ୍ରୈମାସରେ ସୁଧହାର ବୃଦ୍ଧି ପାଇଥିଲା ।

ସରକାର ପ୍ରତି ତ୍ରୈମାସରେ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାରର ସମୀକ୍ଷା କରନ୍ତି । ଗତଥର ସରକାର ୨୦୨୩ ଏପ୍ରିଲ-ଜୁନ୍ ତ୍ରୟମାସ ପାଇଁ ଅଧିକାଂଶ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ୭୦ ବେସିସ୍ ପଏଣ୍ଟ (ବିପିଏସ୍) ବା ୦.୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲେ । ସେହିପରି ଜାନୁଆରି-ମାର୍ଚ୍ଚ ତିନିମାସରେ ବି ସୁଧହାର ବୃଦ୍ଧି ପାଇଥିଲା । ଫଳରେ କ୍ରମାଗତ ୨ୟ ତ୍ରୈମାସ ପାଇଁ ସୁଧହାର ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଡାକଘରେ ଟଙ୍କା ଜମା ରଖିବା ଆହୁରି ଆକର୍ଷଣୀୟ ହୋଇଯାଇଛି ।

Spread the love