ଖୁସି ଖବର: ଜିଏସଟି ହ୍ରାସ ଦ୍ୱାରା ଶସ୍ତା ହେଲା ଏହିସବୁ ଇଲେକ୍ଟ୍ରୋନିକ ଜିନିଷ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍, ଟିଭି, ଫ୍ରିଜ୍ ଓ ୱାଶିଂ ମେସିନ୍ ପରି ବହୁ ଇଲେକ୍ଟ୍ରୋନିକ ଜିନିଷ ଆଜି ଠାରୁ ଶସ୍ତା ହୋଇଯାଇଛି । ସରକାର ଇଲେକ୍ଟ୍ରୋନିକ ଜିନିଷ କ୍ରୟ ଉପରେ ଜିଏସଟି କମ୍ କରି ଦେଇଛନ୍ତି । ଏବେ ଗ୍ରାହକ ଏହିସବୁ ଜିନିଷ କିଣିବା ଲାଗି ୩୧.୩ ପ୍ରତିଶତ ଜିଏସଟି ଦେବେ ନାହିଁ । ସରକାର ଏହି ସମସ୍ତ ଇଲେକ୍ଟ୍ରୋନିକ ଜିନିଷ ଉପରେ ଜିଏସଟି ପ୍ରାୟ ଅଧା କରି ଦେଇଛନ୍ତି । ତେଣୁ ଆପଣ ପୂର୍ବାପେକ୍ଷା ଏହି ସମସ୍ତ ଜିନିଷକୁ ଶସ୍ତାରେ କିଣିପାରିବେ ।

ସରକାର ସ୍ମାର୍ଟଫୋନ୍, ଟିଭି, ଫ୍ରିଜ୍ ଓ ୱାଶିଂ ମେସିନ୍, ୟୁପିଏସ୍ ଆଦି ଇଲେକ୍ଟ୍ରୋନିକ ଜିନିଷ ଉପରେ ଜିଏସଟି ହ୍ରାସ କରି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ଏ ପର୍ଯ୍ୟନ୍ତ ଏହି ସମସ୍ତ ସାମଗ୍ରୀ ଉପରେ ୩୧.୩ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଆଦାୟ କରାଯାଉଥଇଲା । କିନ୍ତୁ ଏବେ ହ୍ରାସ କରାଯାଇ ୧୮ରୁ ୧୨ ପ୍ରତିଶତ ମଧ୍ୟରେ ଆଦାୟ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସମସ୍ତ ହୋମ୍ ଆପ୍ଲାଏନ୍ସ ଓ ଇଲେକ୍ଟ୍ରୋନିକ ଜିନିଷ ଉପରେ ପ୍ରଦାନ କରାଯାଇଥିବା ଜିଏସଟି ରିହାତି ବିଷୟରେ ଟୁଇଟ୍ ଜରିଆରେ ସେୟାର କରାଯାଇଛି ।

ସରକାର ୨୭ ଇଞ୍ଚ କିମ୍ବା ଏହାଠାରୁ କମ୍ ସ୍କ୍ରିନ୍ ସାଇଜ୍ ଟିଭି ଉପରେ ଜିଏସଟି ୩୧.୩ ପ୍ରତିଶତରୁ କମ୍ କରି ୧୮ ପ୍ରତିଶତ କରି ଦେଇଛନ୍ତି । ସେହିପରି ସରକାର ମୋବାଇଲ୍ ଫୋନ୍ ଉପରେ ମଧ୍ୟ ଜିଏସଟି କମ୍ କରିଛନ୍ତି । ପୂର୍ବରୁ ଗ୍ରାହକଙ୍କୁ ମୋବାଇଲ୍ ଫୋନ୍ କ୍ରୟ ଉପରେ ୩୧.୩ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବା ବେଳେ ଏବେ ୧୨ ପ୍ରତିଶତ ଜିଏସଟି ଦେବାକୁ ହେବ ।

Spread the love