ଆରବିଆଇର ଭାବବିନିମୟ କାର୍ଯ୍ୟକ୍ରମ

ଦେଶର ଅର୍ଥନୀତି ବା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଆକାର ବୃଦ୍ଧି ପାଉଛି। ତେଣୁ ଏଥିପାଇଁ ଅର୍ଥନୀତିରେ ଅଧିକ ଟଙ୍କା ଦରକାର ପଡ଼ିପାରେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ଆଜି ଏଠାରେ କହିଛନ୍ତି। 2016 ନଭେମ୍ବର 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ଅର୍ଥନୀତିରେ ପ୍ରଚଳନ ହେଉଥିବା 1000 ଏବଂ 500 ଟଙ୍କିଆ ନୋଟକୁ ଅଚଳ କରିଦେଇଥିଲେ।

ସରକାର ଯେତେବେଳେ ଉଚ୍ଚ ମୂଲ୍ୟର ଏହି ଦୁଇଟି ନୋଟକୁ ଅଚଳ କରିଦେଲେ ଅର୍ଥନୀତିରେ ହଠାତ୍ ଟଙ୍କାର ଅଭାବ ଦେଖାଦେଲା। କିନ୍ତୁ ଏବେ ଅର୍ଥନୀତିର ଆକାର ବଢ଼ୁଛି। ଏଥିପାଇଁ ଅଧିକ ମୁଦ୍ରାର ଆବଶ୍ୟକତା ରହିପାରେ ବୋଲି ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ରିଜର୍ଭ ବ୍ୟାଙ୍କର ଅଧିକାରୀ ଏହି ମତ ରଖିଛନ୍ତି। ବିମୁଦ୍ରୀକରଣ ବେଳେ ସରକାର ନୂଆ 500 ଟଙ୍କିଆ ନୋଟର ପ୍ରଚଳନ କରିଲେ ମଧ୍ୟ 1000 ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିନେଲେ। କିନ୍ତୁ 2000 ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ।

ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଅର୍ଥନୀତିରେ ନକଲି ନୋଟ୍‌ର ମାତ୍ରା ହ୍ରାସ ପାଇଛି। ଏଥିସହିତ ଅଧିକ ନିରାପତ୍ତା ବୈଶିଷ୍ଟ୍ୟ ଥିବା ନୋଟ୍ ରିଜର୍ଭ ବ୍ୟାଙ୍କ ବଜାରକୁ ଛାଡ଼ୁଛି ବୋଲି ସେ କହିଛନ୍ତି। ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନି (ଏନବିଏଫସି) ସମ୍ପର୍କରେ ରିଜର୍ଭ ବ୍ୟାଙ୍କର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଜମା ସଂଗ୍ରହ କରୁଥିବା ଏନବିଏଫସି ଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ଜଣେ ଲୋକପାଳଙ୍କୁ ନିଯୁକ୍ତି ଦେବ। ସେହିଭଳି ଆର୍ଥିକ ଅନ୍ତଭୁର୍କ୍ତୀକରଣ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗୋଟିଏ ଜାତୀୟ ରଣନୀତି ପ୍ରସ୍ତୁତ କରୁଛି। ଏତଦବ୍ୟତୀତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁଡ଼ିକ ଯେଭଳି ସହଜରେ ଋଣ ପାଇପାରିବେ ସେଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

Spread the love