ଭଲ ଖବର: ମଣିଷ ଶରୀର ହେଉଛି ରଥ, ଇନ୍ଦ୍ରିୟମାନେ ହେଉଛନ୍ତି ଘୋଡ଼ା

ମଣିଷ ଶରୀର ହେଉଛି ରଥ, ଇନ୍ଦ୍ରିୟମାନେ ହେଉଛନ୍ତି ଘୋଡ଼ା, ଇନ୍ଦ୍ରିୟମାନଙ୍କର ସ୍ବାମୀ ମନ ହେଉଛି ଲଗାମ, ଶବ୍ଦାଦି ବିଷୟ ହେଉଛି ମାର୍ଗ, ବୁଦ୍ଧି ହେଉଛି ରଥର ସାରଥି, ଚିତ୍ତ ହେଉଛି ଭଗବାନଙ୍କ ଦ୍ବାରା ନିର୍ମିତ ବାନ୍ଧିବା ଦଉଡ଼ି, ଦଶ ପ୍ରାଣ ହେଉଛନ୍ତି ଅଖ, ଧର୍ମ ଓ ଅଧର୍ମ ହେଉଛି ଦୁଇଟି ଚକ ଏବଂ ଏସବୁର ଅଭିମାନୀ ଜୀବ ହେଉଛି ରଥୀ । ଓଁକାର ହେଉଛି ରଥୀର ଧନୁ, ଶୁଦ୍ଧ ଜୀବାତ୍ମା ହେଉଛି ଶର ଏବଂ ପରମାତ୍ମା ହେଉଛନ୍ତି ଲକ୍ଷ୍ୟ । ରାଗ, ଦ୍ବେଷ, ଲୋଭ, ଶୋକ, ମୋହ, ଭୟ, ମଦ, ମାନ, ଅପମାନ, ହିଂସା, ପରଶ୍ରୀକାତରତା, ତୃଷ୍ଣା, ପ୍ରମାଦ, କ୍ଷୁଧା ଓ ନିଦ୍ରା ଏପରି ଅନେକ ବିଷୟ ହେଉଛି ଜୀବମାନଙ୍କର ଶତ୍ରୁ । ଏହି ମନୁଷ୍ୟଶରୀରରୂପୀ ରଥ ଯେପର୍ଯ୍ୟନ୍ତ ନିଜ ଆୟତ୍ତରେ ଅଛି ଏବଂ ଏହାର ଇନ୍ଦ୍ରିୟ, ମନ ଆଦି ସକଳ ଉପକରଣ ଭଲ ଅବସ୍ଥାରେ ଅଛନ୍ତି, ସେହି ସମୟ ମଧ୍ୟରେ ଶ୍ରୀଗୁରୁଦେବଙ୍କ ଚରଣକମଳର ସେବାପୂଜାଦ୍ବାରା ଭଲରୂପେ ଶାଣ ଦିଆଯାଇ ଧାରୁଆ ହୋଇଥିବା ତୀକ୍ଷ୍ଣ ଜ୍ଞାନରୂପୀ ଖଡ୍ଗ ନେଇ, ଭଗବାନଙ୍କ ଆଶ୍ରୟରେ ଏହିସବୁ ଶତୃମାନଙ୍କୁ ନାଶ ନ କଲେ ସାମାନ୍ୟ ଅସାବଧାନତାରେ ଇନ୍ଦ୍ରିୟରୂପୀ ଦୁଷ୍ଟଘୋଡ଼ାମାନେ ଏବଂ ସେମାନଙ୍କ ସହିତ ମିତ୍ରତା ରଖିଥିବା ବୁଦ୍ଧିରୂପୀ ସାରଥି ରଥର ସ୍ବାମୀ ଜୀବକୁ ବିପରୀତ ପଥରେ ନେଇଯିବେ ଓ ତାହାକୁ ବିଷୟରୂପୀ ଲୁଣ୍ଠନକାରୀମାନଙ୍କ ହାବୁଡ଼ରେ ପକାଇଦେବେ । ସେହି ଡକାୟତମାନେ ସାରଥି ଓ ଘୋଡ଼ାଙ୍କ ସମେତ ଏହି ଜୀବକୁ ନେଇ ମୃତ୍ୟୁଠାରୁ ମଧ୍ୟ ଅଧିକ ଭୟାନକ ଘୋର ଅନ୍ଧକାରମୟ ସଂସାରକୂପ ମଧ୍ୟକୁ ଠେଲି ଦେବେ।

Spread the love