ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଏହି ଅମାନବୀୟ ପଦକ୍ଷେପ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ବିଶେଷ କରି ବର୍ଷାଦିନ ହୋଇଥିବାରୁ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ଗ୍ରାମର ବୁଢ଼ା ବୁଢ଼ୀ, ଶିଶୁ ଓ ଶାରିରୀକ ଭାବେ ରୋଗାକ୍ରାନ୍ତ ମାନଙ୍କ ଦୁର୍ଦ୍ଦଶାର ସୀମା କହିଲେ ନସରେ । ଏକଦା ନିଜର ଜୀବନ ଜୀବିକା ଓ ବାସସ୍ଥାନ ହରାଇବା ଆଶଙ୍କାରେ ସଂପୃକ୍ତ ଅଞ୍ଚଳର ଜନସାଧାରଣ ଲୋୟର ସୁକତେଲ ପ୍ରକଳ୍ପ କାମକୁ ବିରୋଧ କରି ଆନ୍ଦୋଳନ କରି ଆସୁଥିବା ବେଳେ ସମୟ କ୍ରମେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ଅମାନବୀୟ ନିର୍ଯ୍ୟାତନା ଓ ଦମନ ଫଳରେ କ୍ଷତିପୁରଣ ଓ ପୁନର୍ବାସ ଥଇଥାନ ପ୍ୟାକେଜକୁ ଗ୍ରହଣ କରି ବିସ୍ଥାପନ ପାଇଁ ରାଜି ହୋଇଥିଲେ। କିନ୍ତୁ ଅଦ୍ୟାବଧି ପ୍ରକଳ୍ପ ପ୍ରଭାବିତ ଅନେକ ଗ୍ରାମର ଲୋକ ମାନଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ କ୍ଷତିପୂରଣ ମିଳି ନଥିବା ବେଳେ ପ୍ରଶାସନର ଏଭଳି ଅମାନବୀୟ ଓ ମାନବାଧିକାର ଉଲ୍ଲଘଂନର ଚିତ୍ର ପଦାକୁ ଆସିଛି। ଇତିମଧ୍ୟରେ ୭୦୦ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମର ବିଦ୍ୟାଳୟକୁ ଭାଙ୍ଗି ଦିଆଯିବା ସହିତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ଟ୍ରାନ୍ସଫର୍ ସାର୍ଟିଫିକେଟ ସେମାନଙ୍କ ଅଭିଭାବକ ମାନଙ୍କୁ ଜବରଦସ୍ତ ପ୍ରଦାନ କରାଯାଇଛି ।

ବାସହରା ମାନଙ୍କୁ ଘୋଷିତ କ୍ଷତିପୂରଣ ମିଳି ନଥିବା ବେଳେ ଓ ବର୍ଷା ଦିନେ ବିସ୍ଥାପିତ ମାନେ କୁଆଡେ ଯିବେ ଯୋଜନା କରୁଥିବା ବେଳେ ହଠାତ୍ ଜିଲ୍ଲା ପ୍ରଶାସନ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ‌ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ କରିଦେବା ଘଟଣା ସେମାନଙ୍କ ‘କଟା ଘା’ରେ ଚୂନ ଦେବା ସଦୃଶ’ ହୋଇଛି ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପ୍ରଶାସନର ଏପରି ନିନ୍ଦନୀୟ କାର୍ଯ୍ୟ ସମ୍ବିଧାନର ମୌଳିକ ଅଧିକାର ଧାରା-୨୧ର ସ୍ପଷ‌୍ଟ ଉଲଂଘନ ବୋଲି ଅଭିଯୋଗ କରି ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି।

ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ର ରାଜ୍ୟ ଆବାହକ ତଥା ସାମାଜିକ କର୍ମୀ ନରେନ୍ଦ୍ର ମହାନ୍ତି ଗତକାଲି ରାତିରେ ଜାତୀୟ ମାନବାଧିକାର କମିଶନଙ୍କ ପୋର୍ଟାଲ ଜରିଆରେ ଏହି ଅଭିଯୋଗ କରିଛନ୍ତି ଓ ମାନବାଧିକାର ଉଲ୍ଲଘଂନ ର ଶୀକାର ହୋଇଥିବା ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି।
ଶ୍ରୀ ମହାନ୍ତି ତାଙ୍କର ପିଟିସନ ଜରିଆରେ ଅବିଳମ୍ବେ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ କରିବା, ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ଏଭଳି ଅମାନବୀୟ କାର୍ଯ୍ୟ ତଥା ମାନବାଧିକାର ଉଲଂଘନ ଯୋଗୁଁ ପ୍ରତ୍ୟେକ ପରିବାରକୁ ୧୦,୦୦୦ (ଦଶହଜାର ଟଙ୍କା) କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେବା ଏବଂ ବିସ୍ଥାପିତ କରିବା ପୂର୍ବରୁ ସମସ୍ତ ବିସ୍ଥାପିତ ମାନଙ୍କୁ ଘୋଷିତ କ୍ଷତିପୂରଣ ଓ ପୁନର୍ବାସ ଯୋଜନାରେ ଥଇଥାନ କାର୍ଯ୍ୟ ତଦାରଖ ତଥା ନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଏହି ପିଟିସନ ରେ ସେ ରାଜ୍ୟର ମୂଖ୍ୟ ଶାସନ ସଚିବ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଏହି ଅଭିଯୋଗ ଜାତୀୟ ମାନବାଧିକାର କମିଶନଙ୍କ ପୋର୍ଟାଲ ର ଡାଏରୀ ସଂଖ୍ୟା 10750/IN/2023 ଦ୍ଵାରା ପଞ୍ଜିକୃତ ହୋଇଛି ।

Spread the love