ରାମପୁରରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍‌ ମାମଲା: ୪ ଲକ୍ଷ ଉଦ୍ଧାର, ଆସ୍କା ଗ୍ୟାଙ୍ଗର୍‌ ଦୁଇ ଲୁଟେରା ଫେରାର୍‌

ପାଟଣାଗଡ଼: ଗତ ଫେବ୍ରୁଆରି ୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାମପୁରଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ପୁଲିସ ତଦନ୍ତ କରି ଲୁଟ୍‌ ଟଙ୍କାରୁ ୪ ଲକ୍ଷ ଉଦ୍ଧାର କରିଛି। ହେଲେ ଆସ୍କା ଗ୍ୟାଙ୍ଗ୍‌ର ଦୁଇ ଲୁଟେରା ଫେରାର୍‌ ହୋଇଯାଇଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗ୍‌ଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପାଟଣାଗଡ଼ ରାମଜୀଛକସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବିଶ୍ବନାଥ ମେହେର ଓ ହେମନ୍ତ ମେହେର ମିଶି ସାଢ଼େ ୬ ଲକ୍ଷ ଟଙ୍କା ଉଠାଇଥିଲେ। ଉଭୟେ ଟଙ୍କାତକ ଏକ ବ୍ୟାଗରେ ରଖି ବାଇକରେ ରାମପୁରସ୍ଥିତ ଘରକୁ ଫେରୁଥିଲେ। ଘର ସମ୍ମୁଖରେ ବାଇକ ରଖିବା ସମୟରେ ବିଶ୍ବନାଥ ଧରିଥିବା ଟଙ୍କାବ୍ୟାଗ୍‌କୁ ଦୁଇଜଣ ଲୁଟେରା ଲୁଟିନେଇ ଫେରାର ମାରିଥିଲେ। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଥିଲା। ଏଥିରେ ଆସ୍କା ଗ୍ୟାଙ୍ଗ୍‌ର ସଂପୃକ୍ତି ଥିବା ସନ୍ଦେହ କରି ଗଞ୍ଜାମ ତଥା ଆସ୍କା ଯାଇଥିଲା। ସେଠାରେ ଡକାୟତମାନେ ପୁଲିସ ଆସୁଥିବା ଜାଣିପାରି ଟଙ୍କା ଥିବା ଏକ ବ୍ୟାଗ୍‌କୁ ପକାଇ ଫେରାର ମାରିଥିଲେ। ସେଥିରୁ ୪ ଲକ୍ଷ ଟଙ୍କା ଉଦ୍ଧାର ହୋଇଥିଲା। ଦୁଇ ଅଭିଯୁକ୍ତ ଆସ୍କା ପକ୍‌ଲାପାଲି ଗାଁର ଜେ. ରୋହିତ ରାଓ ଓ ଦାସ ରାହୁଲ ବୋଲି ପୁଲିସ ଚିହ୍ନଟ କରିଛି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ଭୁକ୍ତା ଓ ଥାନାଧିକାରୀ ଅନନ୍ତ ପଧାନ କହିଛନ୍ତି।

Spread the love