ଧର୍ମେନ୍ଦ୍ର-ହେମାଙ୍କ ବିବାହ ଉପରେ ଲାଗୁ ହେବ କି ୟୁସିସି ? ମେହେବୁବା ମୁଫତିଙ୍କ ପ୍ରଶ୍ନ

ଶ୍ରୀନଗର : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍କୁ ନେଇ ସାରା ଦେଶରେ ବିତର୍କ ଚାଲିଥିବାବେଳେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଏବଂ ତାଙ୍କ ସାଂସଦ ପତ୍ନୀ ହେମା ମାଳିନୀଙ୍କ କଥା ଉଲ୍ଲେଖ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ମେହବୁବା ମୁଫତି ସୋମବାର କହିଛନ୍ତି ଯେ ବିଜେପି ସାଂସଦ ହେମା ମାଳିନୀଙ୍କ ସହ ଧର୍ମେନ୍ଦ୍ରଙ୍କର ଦ୍ୱିତୀୟ ବିବାହ ହୋଇଛି। ବିଜେପିର ସମାନ ନାଗରିକ ସଂହିତା ସେମାନଙ୍କ ଦ୍ୱିତୀୟ ବିବାହ ପାଇଁ ଲାଗୁ ହେବ କି ?

ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ ଯଦି ୟୁସିସି ଆଇନ ତିଆରି ହୁଏ, ତେବେ ବିଜେପି ହେମାଜୀଙ୍କୁ ଦ୍ୱିତୀୟ ବିବାହ ପାଇଁ ଜେଲ୍ ପଠାଇବ କି? କେଉଁ ଆଇନ ଅନୁଯାୟୀ ସେମାନେ (କେନ୍ଦ୍ର) ୟୁନିଫର୍ମ ସିଭିଲ୍ କୋଡ୍ ଜରିଆରେ ସମାନତା ଆଣିବେ? ଆମର ଏକ ସମାନ ଅପରାଧିକ କୋଡ୍ ଅଛି, କିନ୍ତୁ ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ଅଭିନେତ୍ରୀ ହେମା ମାଳିନୀଙ୍କ ସହ ଧର୍ମେନ୍ଦ୍ରଙ୍କର ଦ୍ୱିତୀୟ ବିବାହ ହୋଇଥିଲା। ୧୯୫୪ମସିହାରେ ସେ ପ୍ରକାଶ କୌରଙ୍କୁ ପ୍ରଥମ ବିବାହ କରିଥିଲେ । ଏହାପରେ ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ୧୯୮୦ ମସିହାରେ ସେ ତାଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ଛାଡପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ଇସଲାମ ଧର୍ମ ଗ୍ରହଣ କରି ହେମା ମାଳିନୀଙ୍କୁ ବିବାହ କରିଥିଲେ ।

Spread the love