ବିରୋଧୀ ଦଳଙ୍କ ବୈଠକରେ ମୋତେ ହସ ମାଡ଼ୁଥିଲା : ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଚାଲିଥିବା ବେଳେ ବିଦ୍ରୋହୀ ଏନସିପି ନେତା ପ୍ରଫୁଲ୍ଲ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ବିରୋଧରେ ବିରୋଧୀ ଦଳମାନେ କରିଥିବା ମେଳିକୁ କଟାକ୍ଷ କରିଛନ୍ତି ।

ମୁମ୍ବାଇସ୍ଥିତ ଏମ୍ଇଟି ସେଣ୍ଟରରେ ଅଜିତ ପାୱାରଙ୍କ ଦ୍ବାରା ଆୟୋଜିତ ଏକ ବୈଠକକୁ ସମ୍ବୋଧିତ କରିବା ଅବସରରେ ପ୍ରଫୁଲ୍ଲ ବିରୋଧୀ ଏକତାକୁ କଡ଼ା ସମାଲୋଚନା କରିଥିଲେ । ସେ କହିଛନ୍ତି, ମୁଁ ଶରଦ ପାୱାରଙ୍କ ସହ ପାଟନାରେ ମିଳିତ ବିରୋଧୀ ବୈଠକକୁ ଯାଇଥିଲି। ସେଠାରେ ଦୃଶ୍ୟ ଦେଖି ମୋତେ ହସ ମାଡ଼ୁଥିଲା । ଏହି ବୈଠକରେ ୧୭ଟି ବିରୋଧୀ ଦଳ ଥିଲେ, ସେମାନଙ୍କ ମଧ୍ୟରୁ ୭ଟି ଦଳର ଲୋକସଭାରେ ମାତ୍ର ଜଣେ ଲେଖାଏଁ ସାଂସଦ ଅଛନ୍ତି। ଆଉ ଏକ ଦଳ ଥିଲା ଯାହାର କୌଣସି ସାଂସଦ ନାହାନ୍ତି। ଏସବୁ ଦଳ ଦାବି କରୁଛନ୍ତି ଯେ ସେମାନେ କେନ୍ଦ୍ରରେ କ୍ଷମତା ପରିବର୍ତ୍ତନ କରିଦେବେ ।

ପ୍ରଫୁଲ୍ଲ ପଟେଲ ମଧ୍ୟ ବିରୋଧୀଙ୍କ ଏକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ ମଧ୍ୟରେ ୧୫୦ ଆସନ ହାସଲ କରିବାରେ ସକ୍ଷମ କେନ୍ଦ୍ରୀୟ ଦଳର ଅଭାବ ରହିଛି । ବିରୋଧୀ ଏକତା ବୈଠକରେ ମୁଁ ବୁଝିଥିଲି ଯେ ଭବିଷ୍ୟତରେ ଏହି ଦଳଗୁଡ଼ିକ ଏକାଠି ହୋଇ ଠିକ୍ ଭାବେ କାମ କରିପାରିବେ ନାହିଁ। ଯଦି ୨୦ ଜଣିଆ ଦଳ ଏକାଠି ସରକାର ଗଠନ କରନ୍ତି, ତେବେ ଏହା କେବେ ବି ସମ୍ଭବ ହେବ ନାହିଁ। କଂଗ୍ରେସର ନେତୃତ୍ୱ ଏବେ ବି ଅନେକଙ୍କୁ ଗ୍ରହଣୀୟ ନୁହେଁ। ନେତୃତ୍ୱ ପ୍ରସଙ୍ଗରେ ମଧ୍ୟ ଆପତ୍ତି ରହିବ । ଏକ ସ୍ଥିର ସରକାର ସମାଜରେ ଦଙ୍ଗା ସୃଷ୍ଟି କରିବ ବୋଲି ଆପଣ ଲୋକଙ୍କୁ କେମିତି ବୁଝାଇପାରିବେ?