ପ୍ରଶାସନିକ ମାଫିଆଙ୍କ କବଜାରେ ଓଡ଼ିଶା: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, ତା ୧୨/୦୭: ଯେତେବେଳେ ଗୋଟିଏ ଯୋଜନା ସରକାରୀ ଦଳର ରାଜନୈତିକ ଦଳର ନ୍ୟସ୍ତ ସ୍ୱାର୍ଥ ପାଇଁ ନିର୍ବାଚନୀ ଏଜେଣ୍ଡା ପାଲଟିଯାଏ, ସେତେବେଳେ ତାର ମୂଳ ଲକ୍ଷ୍ୟ ପଥଭ୍ରଷ୍ଟ ହୁଏ ଏବଂ ଏହା ଜନକଲ୍ୟାଣକାରୀ ହୋଇପାରେ ନାହିଁ । ଆଜି ମହିଳା ସଶକ୍ତୀକରଣ ଦିଗରେ ଓଡିଶାରେ ମିଶନ ଶକ୍ତିର ସ୍ଥିତି ସମାନ । ଏକଥା ମୁଖ୍ୟମନ୍ତ୍ରୀ ଓ ତାଙ୍କୁ ଘେରି ରହିଥିବା ପ୍ରଶାସନିକ ମାଫିଆମାନେ ଭଲଭାବେ ହୃଦୟଙ୍ଗମ କରିବା ଆବଶ୍ୟକ । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତାରେ ରହିବା ପରେ ବିଜେଡି ସରକାର ମାଫିଆ ବା ତସ୍କରମାନଙ୍କ ଅଧିନରେ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜମି, ମଦ, ଚିଟଫଣ୍ଡ, ଶିକ୍ଷା, ସ୍ୱାସ୍ଥ୍ୟ, ଖଣି ସମେତ ହରେକ୍ କିସମର ମାଫିଆଙ୍କ କବଳରେ ଓଡ଼ିଶା । ବର୍ତମାନ ଏହି ତାଲିକାରେ ପ୍ରଶାସନିକ ମାଫିଆଙ୍କ ଫର୍ଦ୍ଦ ଯୋଡି ହୋଇଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମିଶନ ଶକ୍ତିକୁ ଶାସକ ବିଜେଡିର ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି ଓ ଏହାର ନେତୃତ୍ୱ ନେଉଛନ୍ତି ବିଭାଗୀୟ ସଚିବ ଶ୍ରୀମତୀ ସୁଜାତା ଆର ପାଣ୍ଡିଆନ । ମିଶନ ଶକ୍ତିର ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇ ଶ୍ରୀମତୀ ପାଣ୍ଡିଆନ ଦେଇଥିବା ବକ୍ତବ୍ୟର ଭାଷା ସମସ୍ତଙ୍କୁ ଆଚମ୍ବିତ କରିଛି । ‘ବୁଲ୍‌ସିଟ୍‌’, ‘ରବିସ’ ଭଳି ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ପ୍ରୟୋଗ କରି ବିଭାଗୀୟ ସଚିବ ପ୍ରତ୍ୟେକ ଓଡିଆଙ୍କୁ ଅପମାନିତ କରିଛନ୍ତି । ସରକାରୀ ଦଳର ଏଜେଣ୍ଡାକୁ ସଠିକ ଭାବେ କାର୍ଯ୍ୟକାରୀତା କରିବାରେ ବିଫଳ ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ନକଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଧମକ ମଧ୍ୟ ଦିଆଯାଇଛି । ଲକ୍ଷ୍ମୀଯୋଜନା, ବିଏସକେୱାଇ ଯୋଜନାରେ ଏସଏଜି ମହିଳାଙ୍କୁ ଯୋଡିବା ପାଇଁ ଚିପ୍ ବେସ୍ ସ୍ମାର୍ଟକାର୍ଡ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୋଟରମାନଙ୍କୁ କଳାଟଙ୍କା ପଠାଇବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ଯେଉଁମାନେ ଭଲ କାମ କକରିବେ, ତାଙ୍କୁ ଦୁବାଇ, ସିଙ୍ଗାପୁର ବୁଲାଇବାକୁ ନିଆଯିବ ବୋଲି ମଧ୍ୟ ବିଭାଗୀୟ ସଚିବ ଉକ୍ତ ବୈଠକରେ କହିଛନ୍ତି । ଗୋଟିଏ ପଟେ ଚାବୁକ୍ ଓ ଅନ୍ୟ ପଟେ ରସଗୋଲା ଧରି ମିଶନ ଶକ୍ତି ଜରିଆରେ ନିର୍ବାଚନ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
୨୦୦୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ନେତୃତ୍ୱରେ ମିଶନଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରାଜ୍ୟ ସରକାର ମା’ଙ୍କୁ ସମ୍ମାନ ଦେବା କଥା କହିବା କେବଳ ଲୋକଦେଖାଣିଆ । ନିଜ ଦଳର ପ୍ରଚାର ପ୍ରଚାର ପାଇଁ ରାଜ୍ୟ ସରକାର ମିଶନଶକ୍ତିକୁ ବ୍ୟବହାର କରୁଛନ୍ତି । ମିଶନଶକ୍ତି ଜରିଆରେ ଅନ୍ୟ ରାଜ୍ୟମାନଙ୍କରେ ୪୦ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବାବେଳେ ଓଡ଼ିଶାରେ ମାତ୍ର ୧୧ ହଜାର କୋଟି ଟଙ୍କାର ଆର୍ôଥକ କାରବାର ହେଉଛି । ରାଜ୍ୟର ୩୧୪ ବ୍ଲକରୁ ୨୮୯ଟିରେ ମିଶନଶକ୍ତି ମହିଳା ବାସ୍ତବ ରୂପରେ ସାମିଲ ହୋଇନାହାନ୍ତି । ବ୍ଲକସ୍ତରରେ ମିଶନଶକ୍ତି ମା’ମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ପଞ୍ଜିକରଣ ଦିଗରେ ସାରା ଓଡ଼ିଶାରେ ମାତ୍ର ୭୦୦ ଟି ଉଦ୍ୟେଗୀ ପଞ୍ଜିକରଣ ହୋଇଛି । ମହିଳା ସଶକ୍ତୀକରଣ ପାଇଁ ଆରମ୍ଭ ହୋଇଥିବା ମିଶନ ଶକ୍ତିକୁ ଶାସକ ବିଜେଡି ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମିଶନ ଶକ୍ତିର ବିଫଳତାକୁ ଏହି ଅଡିଓ ଜରିଆରେ ବିଭାଗୀୟ ସଚିବ ସ୍ୱୀକାର କରିଛନ୍ତି । ବାସ୍ତବରେ ରାଜ୍ୟରେ ମିଶନ ଶକ୍ତି ସଂପୂର୍ଣ୍ଣ ଫେଲ ମାରିଛି ଏବଂ ଲକ୍ଷଚ୍ୟୁତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଆଗାମୀ ନିର୍ବାଚନ ପାଇଁ ଶାସକ ବିଜେଡିର ଭୟ ଏହି ଅଡିଓ କ୍ଲିପରୁ ସ୍ପଷ୍ଟ ହେଉଛି । ଗୋଟିଏ ପଟେ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଦଳୀୟ ବୈଠକ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଘରେ ବସି ରହି ଭର୍ଚୁଆଲ ମୋଡରେ ଯୋଗ ଦେଇ ବାର୍ତା ରଖୁଛନ୍ତି । ରାଜ୍ୟ ସରକାର ଯଦି ବାସ୍ତବରେ ଅନେକ ଲୋକାଭୀମୁଖି ଯୋଜନା କରୁଛନ୍ତି ଏବଂ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି, ତାହେଲେ ଗତ କାଲିର ସମୀକ୍ଷାରେ ୧୮ ହଜାର ଅଭିଯୋଗ ଆସିଲା କେମିତି ? ସେହିପରି ସଚିବମାନଙ୍କୁ ବିଭିନ୍ନ ବ୍ଲକ ଓ ଜିଲ୍ଲା ଗସ୍ତ କରି ରାତ୍ରୀଯାପନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁ ସଚିବ କେଉଁ ବ୍ଲକରେ କେତେ ରାତି କଟାଇଛନ୍ତି ? କାହା ପାଇଁ ବିମାନର ବନ୍ଦୋବସ୍ତ କରାଯାଇଥିଲା ? ଅପନ୍ତରା ବ୍ଲକକୁ କିଏ ପାଦରେ ଚାଲି ଚାଲି ଯାଇଛନ୍ତି ? କେତେ ଅଭିଯୋଗର ଶୁଣାଣୀ ହୋଇଛି ଏବଂ କେତେ ସମସ୍ୟାର ସମାଧାନ ହୋଇଛି ? ସେ ସମସ୍ତ ବିବରଣୀ ରାଜ୍ୟ ସରକାର ସାର୍ବଜନୀନ କାହିଁକି କରିନାହାନ୍ତି ?ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ରହିବା ପରେ ସୁଦ୍ଧା ଏଭଳି ଅଭିଯୋଗ ଆସିବା ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ଅନ୍ୟ ପଟେ ଭୁବନେଶ୍ୱରରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ରଙ୍ଗମହଲରେ ପରିଣତ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଲିଗାଲ୍ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love