ନୂଆ ନୂଆ ତରିକାରେ ଠକୁଛନ୍ତି ସାଇବର ଠକ

ଭୁବନେଶ୍ବର : ସାଇବର ଠକଙ୍କ ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ। ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଘରେ ବସି କିଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ, ରାତାରାତି କୋଟିପତି ବନିବେ, ଏଭଳି ସୁନେଲି ସ୍ବପ୍ନ ଦେଖାଇ ବିଭିନ୍ନ ସ୍କିମ୍‌ର ପ୍ରଲୋଭନରେ ସେମାନଙ୍କୁ ଠକ ଫସାଉଛନ୍ତି। ସିମ୍‌ ଓ ଆଧାର କାର୍ଡ ହାତେଇବା ପାଇଁ ଅଳ୍ପ କିଛି ଅର୍ଥ ଦେଇ ଭୁଆଁ ବୁଲାଉଛନ୍ତି। ଆଉ ସେହି ସିମ୍‌ ଓ ଆଧାରକାର୍ଡକୁ ବ୍ୟବହାର କରି ବିଭିନ୍ନ ପ୍ରକାର ସାଇବର ଠକେଇ ମାଧ୍ୟମରେ ଅପରାଧୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଖାଲି ଏତିକି ନୁହେଁ, ଗରିବ ଶ୍ରେଣୀର ଲୋକଙ୍କୁ ସରକାରୀ ଯୋଜନାର ଲାଭ ପାଇବା କଥା କହି ସେମାନଙ୍କ ନାମରେ ସେଭିଙ୍ଗ୍‌ସ ଓ କରେଣ୍ଟ୍‌ ଆକାଉଣ୍ଟ ଖୋଲୁଛନ୍ତି। ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ହଜାରେ ଦୁଇ ହଜାର ଟଙ୍କା ଦେଇ ସମସ୍ତ ତଥ୍ୟ ନେଇଯାଉଛନ୍ତି। ଏମିତି କି ପାସ୍‌ୱାର୍ଡ ଏବଂ ଓଟିପି ହା‌ତେଇ ନେଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ମାଧ୍ୟମରେ ମଧ୍ୟ ସାଇବର ଠକେଇଠାରୁ ଆରମ୍ଭ କରି କମ୍‌ ସମୟରେ ଅଧିକ ଅର୍ଥ ରୋଜଗାର ସ୍କିମ୍‌ରେ ପୁଞ୍ଜିନିବେଶକାରୀଙ୍କ ଠାରୁ ଲୁଟୁଛନ୍ତି।

ଟେକ୍ନିକାଲ୍‌ ଗୁରୁଜୀ ଭଳି ପ୍ରତିଷ୍ଠିତ କଳାକାର, କ୍ରୀଡ଼ାବିତ୍‌, ୟୁଟ୍ୟୁବର୍‌ ଏବଂ ଶିଳ୍ପପତିଙ୍କ ଫଟୋ ଦେଇ ବିଭିନ୍ନ ସ୍କିମ୍‌ରେ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଉଥିଲେ। କାହାକୁ ଏକ ମିନିଟ୍‌ ମଧ୍ୟରେ ଦୁଇଗୁଣ ଟଙ୍କା ମିଳିବାର ଲୋଭ ତ କାହାକୁ ଗୋଟିଏ ଦିନରେ ୩ଗୁଣା ରିଟର୍ଣ୍ଣ। ଜଣେ ଅତିକମ୍‌ରେ ଶହେ ଟଙ୍କା ଏବଂ ଅତି ବେଶିରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁଞ୍ଜିନିବେଶ କରିପାରିବେ ବୋଲି ସର୍ତ୍ତାବଳୀରେ ଦର୍ଶାଯାଇଥିଲା। ପୁଞ୍ଜି ନିବେଶକାରୀ ଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ଅଭିନେତାଙ୍କ ସ୍ବରରେ ବିଭିନ୍ନ ସ୍କିମ୍‌ ବିଷୟରେ ଶୁଣୁଥିଲେ। ଆଉ ସେମାନଙ୍କ ବିଶ୍ବାସ ଦୁଇଗୁଣ ବଢ଼ିଯାଉଥିଲା। ଏହାପରେ ଯେଉଁମାନେ ଆପ୍‌ ମାଧ୍ୟମରେ ପୁଞ୍ଜିନିବେଶ କରୁଥିଲେ, କିଛି କ୍ଷଣ ମଧ୍ୟରେ ୱାଲେଟ୍‌ରେ କାହାର ଦୁଇଗୁଣ ତ କାହାର ୩ଗୁଣ ଅର୍ଥ ଦେଖାଉଥିଲା। ଫଳରେ ଲୋକେ ଅଧିକରୁ ଅଧିକ ପୁଞ୍ଜିନିବେଶ କରୁଥିଲେ। ହେଲେ ଯେତେବେଳେ ଟଙ୍କା ଉଠାଣ ପାଇଁ ଯାଉଥିଲେ, ଆଉ ଟଙ୍କା ଉଠାଇପାରୁ ନଥିଲେ। ତୁରନ୍ତ ଆପ୍‌ ବ୍ଲକ ହୋଇଯାଉଥିଲା। ଦେଶରେ ଦେଢ଼ କୋଟିରୁ ଊର୍ଧ୍ବ ଆପ୍‌ ଡାଉନ୍‌ଲୋଡ୍‌ ହୋଇଥିବା ଜଣାପଡ଼ିଛି।‌ ଲକ୍ଷ ଲକ୍ଷ ଲୋକଙ୍କଠାରୁ ହଜାରେ କୋଟିରୁ ଊର୍ଧ୍ବ ଠକେଇ ହୋଇଥିବା ବେଳେ ଟଙ୍କାକୁ କ୍ରିପ୍ଟୋ ମାଧ୍ୟମରେ ଚାଇନା ଓ ଦୁବାଇ ପଠାଉଥିବା ତଦନ୍ତବେଳେ ଜଣାପଡ଼ିଛି। ଏଥିପାଇଁ ସେମାନେ ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ୍‌ କରିଥିଲେ। ସେମାନଙ୍କୁ ଅଳ୍ପକିଛି ଟଙ୍କା ଦେଇ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କ୍ରିପ୍ଟୋରେ ଟଙ୍କା ଲଗାଇ ଏଜେଣ୍ଟଙ୍କ ସାହାଯ୍ୟରେ ବିଦେଶ ପଠାଉଥିଲେ। ଏହି ଘଟଣାରେ ଇଓଡବ୍ଲୁ ୨ କୋଟି ଟଙ୍କା ଫ୍ରିଜ୍‌ କରିଛି।

ବେଆଇନ୍‌ ଲୋନ୍‌ ଆପ୍‌ ଖୋଲୁଥିଲେ ହୁସିଆର!
ବେଆଇନ୍‌ ଲୋନ୍‌ ଆପ୍‌ ବ୍ୟବହାର କରୁଥିଲେ ହୁସିଆର୍‌ ହୋଇଯାଆନ୍ତୁ। ନଚେତ୍‌ କ୍ଷଣିକରେ ସର୍ବହରା ହୋଇପାରନ୍ତି। କିଛିଦିନ ତଳେ ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାକୁ ଇଓଡବ୍ଲୁ ପର୍ଦ୍ଦାଫାସ କରିବା ସହ ହରିୟାଣାର ତରୁଣ ଦୁଦେଜା ଓ ଜାଭେଦ୍ ସାହିଫି ଦୁଇ ସାଇବର ଠକଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ଏକା ସମୟରେ ଡିଜିଟାଲ୍ ବଟ୍‌ଵା, ଆଇ ପୈସା ଅନ୍‌ଲାଇନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ବିଜ୍ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ବାଜାର ପେ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମିଲାନମ୍ ଏଣ୍ଟରପ୍ରାଇଜ୍, ବଚ୍ଚତ୍ ଅନ୍‌ଲାଇନ୍ ନାମରେ ୬ଟି ବେଆଇନ୍ ଲୋନ୍ ଆପ୍ ଖୋଲିଥିଲେ। ସେବି ବା ଆର୍‌ବିଆଇରେ ପଞ୍ଜୀକୃତ ନ କରି ଏହି ଆପ୍‌ ଦ୍ବାରା ପ୍ରଥମେ ଲୋକଙ୍କୁ ଋଣ ଦେଉଥିଲେ। ପରେ ଲୋକଙ୍କୁ ଶୋଷଣ କରିବା ବା ଲୁଟ୍ କରିବା ଉଦ୍ଦେଶ୍ୟରେ କିଛି ଲୋକଙ୍କୁ ନିଯୁକ୍ତି ଦେଇଥିଲା। ସେମାନେ ସପ୍ତାହେ ପରେ ଫୋନ୍ କରି ଲୋକଙ୍କୁ ବ୍ଲାକ୍‌ମେଲ୍ କରି ଟଙ୍କା ନେଉଥିଲେ। ଯେଉଁମାନେ ଟଙ୍କା ଦେଉନଥିଲେ ସେମାନଙ୍କଠାରୁ ସଂଗୃହୀତ ବ୍ୟକ୍ତିଗତ ତଥ୍ୟ ଭାଇରାଲ୍ କରିବାକୁ ଧମକ ଦେଉଥିଲେ। ଏହି କ୍ରମରେ ପ୍ରାୟ ୬.୫୭ କୋଟି ଟଙ୍କା ହଡ଼ପ କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଠକ ଗିରଫଦାରୀରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ ଆପଣାଇଥିଲେ। ସାଧାରଣ ଲୋକ, କମ୍ପାନିରେ କାର୍ଯ୍ୟରତ କର୍ମଚାରୀ ଓ ଅନ୍‌ଲାଇନ୍‌ରେ ଟଙ୍କା ନେଇ ଫେରସ୍ତ କରିପାରୁନଥିବା ଲୋକଙ୍କ ପରିଚୟପତ୍ର ଦେଇ ପୁଳା ପୁଳା ସିମ୍‌ କିଣିଥିଲେ। ପରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ହାତଗୁଞ୍ଜା ଦେଇ ଟଙ୍କାର ଲୋଭ ଦେଖାଇ ବିଭିନ୍ନ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିଥିଲେ। ସେମାନଙ୍କଠାରୁ ବ୍ୟାଙ୍କ ତଥ୍ୟ ହାତେଇବା ପରେ ଅନଲାଇନ୍‌ରେ ଏହି ଟଙ୍କାକୁ ନିଜ ଆକାଉଣ୍ଟ୍‌କୁ ନେଉଥିଲେ।

 

କ୍ରିପ୍ଟୋ ମାଧ୍ୟମରେ ବିଦେଶ ଯାଉଛି କୋଟିକୋଟି ଟଙ୍କା

ଠକେଇ ଟଙ୍କାକୁ କିଭଳି ବିଦେଶ ପଠାଯିବ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିଲା। ଲୋକଙ୍କ ନାଁରେ ଖୋଲାଯାଇଥିବା ସେଭିଂସ୍‌ ଆକାଉଣ୍ଟର ଟଙ୍କାକୁ କରେଣ୍ଟ ଅକାଉଣ୍ଟକୁ ଟ୍ରାନ୍ସଫର୍‌ କରିବା ପରେ କ୍ରିପ୍ଟୋ ଏଜେନ୍‌ସି ସହ ଯୋଗାଯୋଗ କରୁଛନ୍ତି। ସେମାନଙ୍କୁ ୨/୩ ପ୍ରତିଶତ କମିସନ ଦେଇ ଟଙ୍କାକୁ ଚାଇନା ଓ ଦୁବାଇ ପଠାଉଛନ୍ତି। ଠକମାନେ ବିଶେଷ କରି ଏସ୍‌, ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି, ଆଇଡିଏଫ୍‌ସି ଭଳି ବ୍ୟାଙ୍କରେ ଆର୍ଥିକ କାରବାର କରିଥିବା କିଛି ଠକେଇ ଘଟଣା ତଦନ୍ତରୁ ଜଣାପଡ଼ିଛି।

Spread the love