ଛାତ୍ରୀଙ୍କ ଭବିଷ୍ୟତ ପାଇଁ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା ୧୮/୦୭: ବିଜେଡି ସରକାରର ହୀନ ଷଡଯନ୍ତ୍ର କାରଣରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିବା ସହିତ ରସାତଳଗାମୀ ହେବାରେ ଲାଗିଛି । ୫-ଟି ନାମରେ ଶିକ୍ଷାନୁଷ୍ଠାନଗୁଡିକରେ ରଙ୍ଗ ଲଗାଇ ରାଜ୍ୟ ସରକାର କେବଳ ଭେଳିକି କରୁଛନ୍ତି । ବିଭିନ୍ନ ଆଳ ଦେଖାଇ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରି ଦିଆଯାଉଛି । ସେହି ଷଡଯନ୍ତ୍ରର ଶିକାର ହେବାକୁ ଯାଉଛି ଶତ ପ୍ରତିଶତ ଫଳାଫଳ ଦେଉଥିବା ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ଓ ଏକତରଫା ନିଷ୍ପତିକୁ ନେଇ ଅଧ୍ୟାୟନରତ ଛାତ୍ରୀ, ପୂର୍ବତନ ଛାତ୍ରୀ ଏବଂ ଅଭିଭାବକ ସମସ୍ତେ ଚିନ୍ତିତ ଓ ମର୍ମାହତ । ରାଜ୍ୟ ସରକାର କ’ଣ ପାଇଁ ଷଡଯନ୍ତ୍ର କରୁଛନ୍ତି? ଛାତ୍ରୀମାନଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ନିଜେ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ନିଷ୍ପତିକୁ ବିରୋଧ କରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହିତ ଅଧ୍ୟୟନରତ ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ବିଦ୍ୟାଳୟ କତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ । ଅତୀତ ଦିନମାନଙ୍କରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଇଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସମସ୍ତ ଆଇନ କାନୁନକୁ ଖିଲାପ କରି ଶହ ଶହ ଏକର ଜମି ଦେବାର ଦୃଷ୍ଟାନ୍ତ ରହିଛି । ୧୯୬୭ ମସିହାରେ ସ୍ଥାପିତ ହୋଇଥିବା ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ତମାନ ପାଖାପାଖି ୪୦୦ ଛାତ୍ରୀ ପାଠ ପଢୁଛନ୍ତି । ମିଶ୍ରଣ ହେବାକୁ ଥିବା ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ଭିତିଭୁମି ଅଭାବ ସତ୍ୱେ ୯୦୦ ଛାତ୍ର ପାଠ ପଢୁଛନ୍ତି । ଯଦି ମିଶ୍ରଣ ହୁଏ, ତାହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଭିତିଭୁମିର ବିରାଟ ସମସ୍ୟା ସୃଷ୍ଟି ହେବ । ଏ ସବୁ ସତ୍ୱେ ରାଜ୍ୟ ସରକାର ପାଖାପାଖି ୪.୫ ଏକର ପରିବ୍ୟାପ୍ତ ଓ ସୁନ୍ଦର ଶିକ୍ଷା ପରିବେଶଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରିବାର ମନ୍ଦ ଉଦ୍ଦେଶ୍ୟ ରଖି ବିରାଟ ଷଡଯନ୍ତ୍ର କରୁଛନ୍ତି । ରାଜଧାନୀର ମଝି ଅଂଚଳରେ ଥିବା ଏହି ଜମିକୁ ତୃତୀୟ ମହଲା ଇଙ୍ଗିତରେ ହଡପ୍ କରାଯାଉଥିବାର ଧରା ପଡିବା ପରେ ବର୍ତମାନ ରମାଦେବୀ ବିଶ୍ୱବିଦ୍ୟାଳୟ କଥା କହି ଭ୍ରମିତ କରାଯାଉଛି । ସ୍କୁଲ ବଂଚିଲେ ଯାଇ କଲେଜ ବଂଚିବ । ତେଣୁ ରାଜ୍ୟ ସରକାର କୋମଳମତି ଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସ୍ଥାନୀୟ କର୍ପୋରେଟର ଜୀବନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love