କିସ୍ ମିଳିଲା ଇଣ୍ଟରନ୍ୟାସ୍ନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର

ଭୁବନେଶ୍ୱର : ସ୍ଥାୟିତ୍ୱରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ କିସ୍କୁ ସମ୍ମାନଜନକ ଇଣ୍ଟରନ୍ୟାସ୍ନାଲ୍ ଗ୍ରୀନ୍ ଗାଉନ୍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ‘ଉଦୟ’ ପ୍ରକଳ୍ପ ପାଇଁ ଜୁଲାଇ ୧୭ତାରିଖରେ ଜାତିସଂଘର ସ୍ଥାୟୀ ବିକାଶ ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମ୍ ରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ନିମନ୍ତେ କିସ୍ ଭାରତର ଏକମାତ୍ର ଏନ୍ଜିଓ ଭାବେ ମନୋନୀତ ହୋଇଛି । ଉଦୟ ପ୍ରକଳ୍ପ ପାଇଁ ୨୫ଟି ଦେଶରୁ ୯୩ଟି ଅନୁଷ୍ଠାନ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଭାରତରୁ କିସ୍ ଏକମାତ୍ର ହୋଇଥିବା ବେଳେ ଅନ୍ୟାନ୍ୟ ଦେଶରୁ ୧୨ଟି ଅନୁଷ୍ଠାନ ପୁରସ୍କାର ପାଇଛନ୍ତି ।

ସୂଚନାଯୋଗ୍ୟ, ଜନଜାତି ଯୁବଗୋଷ୍ଠୀଙ୍କୁ ସେମାନଙ୍କ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ସହ ଜଡ଼ିତ କରାଇ ସେମାନଙ୍କୁ ଚେଞ୍ଜ ଏଜେଣ୍ଟରେ ପରିଣତ କରାଇବା ସହ ସେମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ୨୦୧୮ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶାର କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଉଦୟ ପ୍ରକଳ୍ପ କାର୍ଯ୍ୟ କରୁଥିଲା । ଏପରିକି କୋଭିଡ୍ ସମୟରେ ମଧ୍ୟ ଏହି ପ୍ରକଳ୍ପ ଜନଜାତି ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଇବାରେ ସମର୍ଥ ହୋଇପାରିଥିଲା ।

ଏହି ପୁରସ୍କାର ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍ର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ଓ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ସ୍ଥାୟୀ ବିଶ୍ୱ ଗଠନରେ କାର୍ଯ୍ୟ କରିବାକୁ ଏହି ପୁରସ୍କାର ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି ।

Spread the love