ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ପ୍ରବୋଧ କୁମାର ରାଉତଙ୍କ ପରଲୋକ

କଟକ: ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ତଥା ବିଶିଷ୍ଟ ସାରସ୍ବତ ସାଧକ ପ୍ରବୋଧ କୁମାର ରାଉତଙ୍କର ମଙ୍ଗଳବାର ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ୧୬ ତାରିଖ ସକାଳେ କନିକାଛକରେ ଏକ ଦୁର୍ଘଟଣାରେ ଶ୍ରୀ ରାଉତ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କୁ ୫୨ବର୍ଷ ହୋଇଥିଲା। ଅନ୍ତିମ ସମୟରେ ପତ୍ନୀ ପୁଷ୍ପଲତା ରାଉତ, ପୁଅ ପ୍ରତିଷ୍ଠ ରାଉତ, ଝିଅ ପ୍ରାଚ୍ୟୁର୍ଯ୍ୟା ରାଉତଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇଁ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶ୍ରୀ ରାଉତ ୧୯୭୧ମସିହାରେ ଜଗତସିଂହପୁର ଜିଲ୍ଲା କଟରା ପଞ୍ଚାୟତ ଗୋପାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଧର୍ମାନନ୍ଦ ରାଉତ ପ୍ରାକ୍ତନ ଡାକବିଭାଗ କର୍ମଚାରୀ ଓ ମା’ ପ୍ରମିଳା ରାଉତ ଗୃହିଣୀ। ଗାଁରେ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସମ‌ାପ୍ତ ପରେ କଟକ, ଭୁବନେଶ୍ବରରେ ଶ୍ରୀ ରାଉତ ଉଚ୍ଚଶିକ୍ଷା ଲାଭ କରିଥିଲେ। ଶ୍ରୀ ରାଉତ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ସହ ଆଇନରେ ସ୍ନାତକ, ସମବାୟ ପରିଚାଳନା ଓ ରପ୍ତାନି ପରିଚାଳନାରେ ଡିପ୍ଲୋମା ଡିଗ୍ରି ହାସଲ କରିଥିଲେ। ବାଲିଆ କଲେଜରେ ସ୍ବଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଓଏଏସ୍ ଅଧିକାରୀ ଭାବେ ସେ କୋରାପୁଟ, ଆସ୍କା, ଅନୁଗୁଳ, ଛେଣ୍ଡିପଦା, ଜଟଣୀ, କଟକ, ଭୁବନେଶ୍ବରରେ ଦକ୍ଷତାର ସହ କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ବୃତ୍ତିରେ ସେ ପ୍ରଶାସନିକ ଅଧିକାରୀ ‌ହୋଇଥିବା ବ‌େଳେ ନିଶା ଥିଲା କିନ୍ତୁ ତାଙ୍କର ସାରସ୍ବତ ସାଧନା। ଶାନ୍ତନୁ ଆଚାର୍ଯ୍ୟ, ଗିରିଜା ବଳିଆୟରସିଂହ, ଶିବବ୍ରତ ଦାଶ, ଗୋପାଳ ଛୋଟରାୟଙ୍କ ଦ୍ବାରା ପ୍ରଭାବିତ ହୋଇ ଲେଖାଲେଖି ଆରମ୍ଭ କରିଥିଲେ। କବିତା ଗ୍ରନ୍ଥ ‘ଏକାବନ କବିତା, ମିନି କବିତା ‘ଭୁଲିପାରୁନି ବୋଲି’, ଗୀତ ବହି ‘ହୃଦୟ ସଂଗୀତ’, ଗଳ୍ପ ବହି ‘ଗପସପ,’ ‘ଅଜନ୍ତା ଏଲୋରା ପରୀ’, ହୃଦୟ ମାଗୁଥିବା ଝିଅ’, ନାଟକ ବହି ‘ନାଟ୍ୟଶାଳା’, ଇଂରାଜୀ ନାଟକ ‘ମିଷ୍ଟ୍ରି ଅପ୍‌ ବ୍ରୋଙ୍କ ଟଙ୍କ୍ର’ ଆଦି ତାଙ୍କର ସାରସ୍ବତ କୃତି। ଏ‌ହା ବ୍ୟତୀତ ଅନେକ ପତ୍ରପତ୍ରିକାରେ ତାଙ୍କର ବହୁ ଲେଖା ପ୍ରକାଶ ପାଇଛି।

ଉଲ୍ଲେଖନୀୟ ସାରସ୍ବତ ସାଧନା ପାଇଁ ଶ୍ରୀ ରାଉତ କଟକ ଆକାଶବାଣୀ ସମେତ ବହୁ ସାରସ୍ବତ ଅନୁଷ୍ଠାନ ଦ୍ବାରା ସମ୍ମାନ ଓ ସମ୍ବର୍ଦ୍ଧନା ପାଇଛନ୍ତି। ତାଙ୍କ ପର‌ଲୋକରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ଗୌରହରି ଦାସ, ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚାନ୍ଦ, ବିଶି‌ଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଅଧ୍ୟାପକ ଡକ୍ଟର ବିଜୟ କୁମାର ରାଉତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love