ଟ୍ରାଇବାଲ୍ ଲିଡ଼ରସିପ୍ ପ୍ରୋଗ୍ରାମ୍‌ରେ ଓଡ଼ିଶାରୁ ଯୋଗଦେଲେ ୭ ପ୍ରତିନିଧି

ଭୁବନେଶ୍ବର/ରାଇରଙ୍ଗପୁର: ଆଦିବାସୀ ସମୁଦାୟ କ୍ଷେତ୍ରରେ ହେଉଥିବା ବିକାଶକୁ ନେଇ ମହାରାଷ୍ଟ୍ରର ପୁନେରେ ଟ୍ରାଇବାଲ୍‌ ଲିଡ଼ରସିପ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ୧୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରୁ ୫୧ ଜଣ ଆଦିବାସୀ ଗୋଷ୍ଠୀ ସମୂହରୁ ୯୫ ଜଣ ପ୍ରତିନିଧି ସାମିଲ ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲାରୁ ଯୁବ ଆଦିବାସୀ ଗବେଷକ ଗଣେଶ ବିରୁଆ ସାମିଲ ହେବାର ସୌଭାଗ୍ୟ ପାଇଥିଲେ। ସେ ‘ହୋ’ ଭାଷା ତଥା ଆଦିବାସୀ ଭାଷା ଓ ସଂସ୍କୃତିକୁ ଅନ୍‌ଲାଇନ୍ ସଂରକ୍ଷଣ ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଆଦିବାସୀ ନେତୃତ୍ୱ କାର୍ଯ୍ୟକ୍ରମରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ୭ଜଣ ପ୍ରତିନିଧିଙ୍କ ମଧ୍ୟରେ ଗଣେଶ ବିରୁଆଙ୍କ ସମେତ ବାଲେଶ୍ୱର ଜିଲ୍ଲାରୁ କବିତା ସିଂ, ଯାଜପୁରରୁ ଲକ୍ଷ୍ମୀ ଜାମୁଦା ଓ ରଞ୍ଜିତା ମାଝୀ, ବଲାଙ୍ଗୀରରୁ ମାନସୀ ବରିହା, ରାୟଗଡ଼ାରୁ ହରପ୍ରସାଦ ହେପ୍ରୁକା ଓ ସମାରାଓ ହିମିରିକା ଯୋଗ ଦେଇଥିଲେ।
ଜାମଦା ବ୍ଲକ୍ ତାରଣା ପଂଚାୟତ ଅନ୍ତର୍ଗତ ଦୀଘିଆବେଡ଼ାର ଯୁବ ଗବେଷକ ଗଣେଶ ବିରୁଆ ଗତ ୫ ବର୍ଷରୁ ଅଧିକ ହେବ ‘ହୋ’ ଭାଷା, ଏହାର ଲିପି ଏବଂ ସଂସ୍କୃତିକୁ ଅନଲାଇନ୍‌ରେ ସଂରକ୍ଷଣ ଉପରେ ଗବେଷଣା କରି ଆସୁଛନ୍ତି। ଏହି ଟ୍ରାଇବାଲ୍ ଲିଡ଼ରସିପ୍ ପ୍ରୋଗ୍ରାମରେ ଆଦିବାସୀ ସମୁଦାୟ କ୍ଷେତ୍ରରେ ହେଉଥିବା ବିକାଶ, ଜଳ, ଜଙ୍ଗଲ, ଜମି, ନିଜର ମାତୃଭାଷା, ସଂସ୍କୃତି, ରୋଜଗାର ଓ ସ୍ୱରୋଜଗାର ତଥା ସାମାଜିକ ପରିବର୍ତନ ସମ୍ପର୍କରେ କାର୍ଯ୍ୟକ୍ରମ ହୋଇଥିଲା।

Spread the love