“ନବୀନ ଓଡିଶା”ରେ ପଇସା ନେଇ ସରକାରୀ ଚାକିରୀ ବିକ୍ରି କରାଯାଉଛି : ଅନିଲ ବିଶ୍ୱାଳ

ଭୁବନେଶ୍ୱର, ତା.୨୪/୦୭: ଓଡିଶା ଷ୍ଟାଫ୍ ସିଲେକସନ ଦ୍ୱାରା ହୋଇଥିବା ଜେଇ ସିଭିଲ ମେନ ପରୀକ୍ଷାରେ ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ହୋଇଥିବା କଥା ପ୍ରମାଣିତ କରୁଛି ଯେ ଓଡିଶାରେ ସରକାରୀ ନିଯୁକ୍ତିରେ “ମନି ଫର୍ ଜବ୍‌” ର‌୍ୟାକେଟ କାମ କରୁଛି । ଏହି ଅପରାଧୀକ ଘଟଣାରେ କେବଳ କିଛି ଦଲାଲଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ଏସପିଙ୍କ ବୟାନ ପ୍ରମାଣ କରିସାରିଲାଣି ଯେ, ଦଲାଲମାନେ ପରୀକ୍ଷା ଆଗରୁ ଅସଲି ପ୍ରଶ୍ନ ପତ୍ର ପାଇଥିଲେ । ଏବେ ଓଡିଶା ଷ୍ଟାଫ୍ ସିଲେକସନ ସେହି ପରୀକ୍ଷା ବାତିଲ କରିଛନ୍ତି ଯାହା ସେମାନେ କରିବା ପାଇଁ ଆଇନତଃ ବାଧ୍ୟ । କିନ୍ତୁ ସେହି ଦଲାଲମାନେ କିଭଳି ଆଗୁଆ ପ୍ରଶ୍ନ ପତ୍ର ପାଇଲେ, ସେମାନଙ୍କୁ ସରକାରଙ୍କର କେଉଁ ବଡ ବଡିଆ ଅଧୀକାରିମାନେ ପ୍ରଶ୍ନ ପତ୍ର ଯୋଗାଇଥିଲେ ଏହା ଉପରେ କାହିଁକି ତଦନ୍ତ ହେଉନାହିଁ । ବିନା ସରକାରୀ ସଂମ୍ପୃକ୍ତିରେ ଏହା ସମ୍ଭବ ହେବ କି ? କେବଳ ଦଲାଲ ମାନେ ଗିରଫ ହେଲେ କିନ୍ତୁ କାହିଁକି ଓଡିଶା ଷ୍ଟାଫ୍ ସିଲେକସନର କୌଣସି ଅଧୀକାରି, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଆଜି ଓଡିଶାରେ ଓପିଏସ୍‌ସି, ଓଏସଏସସି, ଓଏସଏସଏସସି ପରିଚାଳନା କରୁଥିବା ସମସ୍ତ ସରକାରୀ ନିଯୁକ୍ତିରେ ଅନିୟମିତତା, ପ୍ରଶ୍ନପତ୍ର ଖୋଲା ବଜାରରେ ନିଲାମ ହେବା ଭଳି ଘଟଣା ସାମ୍ନାକୁ ଆସୁଛି । “ନବୀନ ଓଡିଶା”ରେ ପଇସା ନେଇ ସରକାରୀ ଚାକିରୀ ବିକ୍ରି କରାଯାଏ ବୋଲି ଓଡିଶାର ଚାକିରୀ ଆଶାୟୀ ଲକ୍ଷ ଲକ୍ଷ ଯୁବକ ଯୁବତୀମାନେ ଏବେ ଭାବିବା ପାଇଁ ବାଧ୍ୟ ହେଲେଣି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯଦି ପରୀକ୍ଷା ହେବାର ୬ ଦିନ ଆଗରୁ “୧୦ ଲକ୍ଷ ଟଙ୍କା ଦିଅ ପ୍ରଶ୍ନ ପତ୍ର ନିଅ” ବୋଲି ଅଭିଯୋଗ ଆସିଥିଲା ତାହେଲେ ସେହି ପରୀକ୍ଷାକୁ କେଉଁ ପରିସ୍ଥିତିରେ କରିବା ପାଇଁ ଦିଆଗଲା ତାହା ତଦନ୍ତ ସାପେକ୍ଷ୍ୟ । ଏହି ପୁରା ଘଟଣାରେ ଯେଉଁମାନେ ଗିରଫ ହୋଇଛନ୍ତି ଯଥା ମହମ୍ମଦ ସିଦ୍ଦିକ, ମୁସ୍ତାକିକ ଖାଁ, କମିରୁଦ୍ଦିନ, ଭିଜେନ୍ଦ୍ର କୁମାର, ରାଜ କୁମାର ଏମାନେ ସମସ୍ତେ ହେଉଛନ୍ତି ରାଜ୍ୟ ବାହାରର ଲୋକ । ସେମାନଙ୍କ ପାଖକୁ ସଠିକ ପ୍ରଶ୍ନ ପତ୍ର ଗଲା କିପରି ? ଏହି ପୁରା କେଳେଙ୍କାରୀରେ ନିଶ୍ଚିନ୍ତ ଭାବରେ ସରକାରଙ୍କ ଅଧୀକାରି ଓ ଶାସକ ଦଳର ଏକ ଗୋଷ୍ଠୀର କିଛି ନେତାମାନଙ୍କର ସମ୍ପୃକ୍ତି ରହିଛି । ଅଭିଯୋଗ େହେଉଛି ଯେ ଓଡିଶା ଷ୍ଟାଫ ସିଲେକସନର ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ସଂସ୍ଥା, ପ୍ରଶ୍ନ ପତ୍ର ଛପାଉଥିବା ସଂସ୍ଥା, ଆବେଦନରୁ ମେରିଟ ଲିଷ୍ଟ ବାହାରିବା ପର୍ଯ୍ୟନ୍ତ ପରିଚାଳନା ହେଉଥିବା ସଫ୍ଟଓାର କମ୍ପାନୀ ସବୁ ହେଉଛନ୍ତି ଅଣଓଡିଆ ସଂସ୍ଥା । ସେହି ସଂସ୍ଥାମାନଙ୍କ ସହିତ ଓଡିଶା ସରକାରଙ୍କ ମଧୁଚନ୍ଦ୍ରିକାରେ ଆଜି ଓଡିଶାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଚାକିରୀକୁ ଦଣ୍ଡିଆ ଦଲାଲଙ୍କ ମାଧ୍ୟମରେ ବଜାରରେ ବିକ୍ରି କରାଯାଉଛି ।
ଆଗରୁ ଓଡିଶା ଷ୍ଟାଫ ସିଲେକସନଙ୍କ ଜଣେ ସଦସ୍ୟଙ୍କର ବ୍ୟକ୍ତିଗତ ସଚିବଙ୍କ ପାଖରୁ ୩ କୋଟି ୮୦ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି, ୧୦୦ରୁ ଅଧିକ ଆଡମିଟ କାର୍ଡ, ପ୍ରଶ୍ନ ପତ୍ର ଜବତ ହୋଇଥିଲା । ଜଣେ ବ୍ୟକ୍ତିଗତ ସଚିବଙ୍କର କୌଣସି ପ୍ରଶାସନିକ କ୍ଷମତା ନଥିଲା ବେଳେ ସେ କାହା କ୍ଷମତାକୁ ଉପଯୋଗ କରି ପଇସା ନେଇ ଚାକିରୀ କରାଇ ଦେଉଥିଲେ ତାହା ଉପରେ ଆଜି ପର୍ଯ୍ୟନ୍ତ ତଦନ୍ତ ହେଲା ନାହିଁ । ଆଜିବି ସେହି ସଦସ୍ୟ ଜଣଙ୍କ ଓଡିଶା ଷ୍ଟାଫ ସିଲେକସନରେ ଦାୟୀତ୍ୱରେ ଅଛନ୍ତି । ସେହିଭଳି ଆଜି ଯିଏ ଓଡିଶା ଷ୍ଟାଫ୍ ସିଲେକସନର ଅଧ୍ୟକ୍ଷ ଅଛନ୍ତି ସେ ନିଜେ ଆଗରୁ ପୋଲିସ ଡିଜି ଭାବରେ କାମ କରୁଥିଲେ । ପୋଲିସ ଡିଜି ଥିବା ବେଳେ ସେ ମମିତା ମେହେର, ପରୀ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ କିଭଳି ବାଟବଣା ହେଲା ତାହା ସମସ୍ତେ ଜାଣନ୍ତି । ତେଣୁ ଏଭଳି କରିତକର୍ମା ପୋଲିସ ଅଧିକାରୀଙ୍କ ଠାରୁ କଣ ଆଉ ଅଧିକ ସ୍ୱଛତା ଆଶା କରାଯାଇ ପାରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଆସୁଛି ଓପିଏସସି, ଓଏସଏସସି, ଓଏସଏସଏସସି ଭଳି ସଂସ୍ଥା ଯେଉଁମାନେ ଓଡିଶାରେ ସରକାରୀ ନିଯୁକ୍ତି ପରିଚାଳନା କରୁଛନ୍ତି । ସେହିଭଳି ନିଯୁକ୍ତିରେ ଦୁର୍ନୀତିକୁ ରୋକିବାର କାମ ହେଉଛି ରାଜ୍ୟ ପୋଲିସର ଯାହା ହେଉଛି ଗୃହ ବିଭାଗ ଅଧୀନରେ ଆସୁଛି । ଦୁଇଟି ଯାକ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ବର୍ତମାନ ଓଡିଶାରେ କଂସେଇ ଶାସନ ଚାଲିଛି । ଯେଉଁଥିରେ ଓଡିଶାର ଗରିବ, ନିମ୍ନମଧ୍ୟବିତ ଓ ମଧ୍ୟବିତ ପରିବାରର ପିଲାମାନଙ୍କର ଭାଗ୍ୟ ଭବିଷ୍ୟତ ବଳି ପଡୁଛି । ଓଡିଶାର ଶାସନ ବ୍ୟବସ୍ଥାକୁ କିଛି ଅଣ ଓଡିଆ ବ୍ୟୁରୋକ୍ରାଟମାନେ କବଜା କରି ଲୁଟପାଟ ଚଲାଇ ଆସିଛନ୍ତି । ଓଡିଶାରେ ଚାଲିଥିବା ଏହି ସରକାରୀ ନିଯୁକ୍ତିରେ ସେମାନଙ୍କର ହାତ ଅଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Spread the love