ଆଇଟିଆଇରେ ପିଲା ହେଉନାହାନ୍ତି, ପ୍ରଥମ ପର୍ଯ୍ୟାୟ ପରେ ୮୦.୬୮% ସିଟ୍‌ ଖାଲି

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଫୋକସ୍‌ରେ ଦକ୍ଷତା ବିକାଶ ପାଠ୍ୟକ୍ରମ। ଆଇଟିଆଇ, ଡିପ୍ଲୋମାରେ ଶିକ୍ଷା ଗ୍ରହଣ କରି ଅଳ୍ପ ସମୟ ମଧ୍ୟରେ ପିଲାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଦିଗରେ ପଦକ୍ଷେପ ନିଆଯାଉଛି। ଛାତ୍ରଙ୍କ ପରେ ଛାତ୍ରୀଙ୍କୁ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମକୁ ଆକୃଷ୍ଟ କରିବା ପାଇଁ ‘ସୁଦକ୍ଷା’ ଯୋଜନା କାର୍ଯ୍ୟକାରୀ ହେଉଛି। ତା’ସତ୍ତ୍ବେ ବି ପିଲାମାନଙ୍କର ଆଗ୍ରହ ଦେଖିବାକୁ ମିଳୁନି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ପରେ ମଧ୍ୟ ୮୦.୬୮% ସିଟ୍‌ ଖାଲି ପଡ଼ିଛି। କେଉଁଠି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କରେ ଅଟକି ରହିଛି ତ ଆଉ କେଉଁଠି ଆଦୌ ଛାତ୍ରଛାତ୍ରୀ ନାମ ଲେଖାଇପାରି ନାହାନ୍ତି। ଘରୋଇ ଆଇଟିଆଇ ଦୂରେ ଥାଉ, ଖୋଦ୍‌ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ଆଇଟିଆଇରେ ମଧ୍ୟ ବହୁ ପରିମାଣରେ ସିଟ୍‌ ଖାଲି ପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗତ ୨୦୨୦-୨୧ ଶିକ୍ଷାବର୍ଷରୁ ଆଇଟିଆଇ ସଂଖ୍ୟା ଲଗାତାର ଭାବେ ହ୍ରାସ କରାଯାଉଥିଲା। ମାତ୍ର ଏଥର ଆଇଟିଆଇ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଆଇଟିଆଇଗୁଡ଼ିକରେ ବହୁ ସିଟ୍‌ ଖାଲି ପଡ଼ିଥିବାରୁ ୨୦୨୧-୨୨ରେ ଓଡ଼ିଶାର ୪୯ଟି ସରକାରୀ ଓ ୪୫୭ଟି ଘରୋଇ ଆଇଟିଆଇର ୧୪ ହଜାର ସିଟ୍ ହ୍ରାସ କରିଥିଲେ। ୨୦୨୨-୨୩ରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ରାଜ୍ୟ ସରକାର ୩୯ଟି ଆଇଟିଆଇର ନାମଲେଖା ବନ୍ଦ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫୧୬ଟି ଆଇଟିଆଇରେ ନାମଲେଖା ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ୬୦ଟି ସରକାରୀ ଓ ୪୫୫ଟି ଘରୋଇ ଆଇଟିଆଇ ଥିଲେ। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଉକ୍ତ ଶିକ୍ଷାନୁଷ୍ଠାନର ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ସେମାନଙ୍କ ସିଟ୍‌ କାଟି ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯାଇଥିଲା। ଫଳରେ ଗତବର୍ଷ ମୋଟ ୪୭୭ଟି ଆଇଟିଆଇରେ ନାମଲେଖା ହୋଇଥିଲା। ସେଥ‌ିରେ ବହୁ ସିଟ୍‌ ଖାଲି ରହିବା ସତ୍ତ୍ବେ ରାଜ୍ୟ ସରକାର ନୂତନ ସରକାରୀ ଆଇଟିଆଇ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ।

ସାମ୍‌ସ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ୪୮୮ଟି ଆଇଟିଆଇର ୮୨ହଜାର ୨୪୪ ସିଟ୍‌ରେ ନାମଲେଖା ହେଉଛି। ଏଥିପାଇଁ ୬୭ହଜାର ୪୦୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୦ହଜାର ୫୦୧ଜଣ ଛାତ୍ରଛାତ୍ରୀ ଆବଶ୍ୟକ ଫି’ ଦାଖଲ କରି ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ରାଜ୍ୟ ବାହାରର ମାତ୍ର ୩୧୩ଜଣ ଆବେଦନକାରୀ ରହିଥିଲେ। ୨୦୧୪ରୁ ୨୦୨୩ ମଧ୍ୟରେ ମାଟ୍ରିକ୍‌ ପାସ୍‌ କରିଥିବା ୪୮ହଜାର ୬୩୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏହା ପୂର୍ବରୁ ମାଟ୍ରିକ୍‌ ପାସ୍‌ କରିଥିବା୧,୭୨୧ ଜଣ ଆଇଟିଆଇ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରି ଆବେଦନ କରିଥିବା ସାମ୍‌ସ ପକ୍ଷରୁ ସୂଚନ‌ା ଦିଆଯାଇଛି। ଏଥର ରେକର୍ଡ ସଂଖ୍ୟକ ୧୧ ହଜାର ୭୨୧ଜଣ ଛାତ୍ରୀ ଆବେଦନ କରିଛନ୍ତି, ଯେଉଁଥିରେ ରାଜ୍ୟ ବାହାର ୧୧ଜଣ ରହିଛନ୍ତି। ଏତେ ସବୁ ଆବେଦନ ପରେ ବି ଆଜି ସୁଦ୍ଧା ୧୫ହଜାର ୮୯୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ଏବଂ ୬୬ ହଜାର ୩୫୪ ସିଟ୍‌ ଖାଲି ରହିଛି। ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଆହୁରି କିଛି ସିଟ୍‌ ପୂରଣ ହେବାର ସମ୍ଭାବନା ରହିଛି।

Spread the love