ପୁରସ୍କାର ଫେରସ୍ତ’ ରୋକିବାକୁ ଆଗୁଆ ଅଙ୍ଗୀକାର ପତ୍ର ଲେଖାଇ ନେବାକୁ ସଂସଦୀୟ କମିଟିର ପ୍ରସ୍ତାବ

ନୂଆଦିଲ୍ଲୀ: ‘ପୁରସ୍କାର-ଫେରସ୍ତ-ଭଳି ପରିସ୍ଥିତି’ ବନ୍ଦ କରାଇବା ପାଇଁ ସରକାରୀ ପୁରସ୍କାର ପାଉଥିବା ବ୍ୟକ୍ତିବିଶେଷଙ୍କଠାରୁ ଆଗୁଆ ଅଙ୍ଗୀକାର ପତ୍ର (ଅଣ୍ଡର୍‌ ଟେକିଙ୍ଗ୍‌) ଲେଖାଇ ନେବା ପାଇଁ ଏକ ସଂସଦୀୟ କମିଟି ଦେଶର ଶୀର୍ଷସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ଓ ଏକାଡେମିମାନଙ୍କୁ ପରାମର୍ଶ ଦେଇଛି।

କମିଟି ଗୁରୁତ୍ବାରୋପ କରି କହିଛି ଯେ, ପୁରସ୍କୃତ ହୋଇଥିବା ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ କେତେକ ରାଜନୈତିକ ଘଟଣା ବିରୋଧରେ ପ୍ରତିବାଦ କରି ପୁରସ୍କାର ଫେରାଉଛନ୍ତି। ରାଜନୈତିକ ଘଟଣାବଳି ସଂସ୍କୃତିକ କ୍ଷେତ୍ର ପରିସର ବାହାରର କଥା। କିନ୍ତୁ, ପୁରସ୍କର ଫେରସ୍ତ ଘଟଣା ସାମଗ୍ରିକ ଭାବେ ପୁରସ୍କାରର ମର୍ଯ୍ୟାଦା ଓ ଖ୍ୟାତିକୁ ପ୍ରଭାବିତ କରୁଛି।

କମିଟି ଆହୁରି ମଧ୍ୟ ପ୍ରସ୍ତାବ ଦେଇଛି ଯେ, ସରକାରୀ ପୁରସ୍କାର ଗ୍ରହଣକାରୀମାନେ ସମ୍ମତି ଓ ସ୍ବାକ୍ଷର ଥିବା ଅଙ୍ଗୀକାରପତ୍ର ଲେଖିଦେଲେ ପରବର୍ତ୍ତୀ କାଳରେ ତାହା ସେମାନଙ୍କ ପୁରସ୍କାର ଫେରସ୍ତ ଦେବା ମନୋଭାବକୁ ନିରୁତ୍ସାହିତ କରିବ।

କୌଣସି ସଙ୍ଗଠନଦ୍ବାରା ପ୍ରଦତ୍ତ ପୁରସ୍କାର ଜଣେ କଳାକାରକୁ ସମ୍ମାନ ପ୍ରଦାନ କରିଥାଏ। ସେଥିରେ ରାଜନୀତିର ସ୍ଥାନ ନ ଥାଏ ବୋଲି ଉକ୍ତ କମିଟି କହିଛି।

Spread the love