ନକ୍ସଲ ନାଁରେ ଦାଦାବଟି; ଅଭିଯୁକ୍ତ ଜେଲ୍‌ ଗଲା

ରାଉରକେଲା: ନକ୍ସଲ ସଂଗଠନ ନାଁରେ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବଟି ନଦେଲେ ଯାବତୀୟ ଧମକଚମକ ବି ଦେଉଥିଲା। ଏନେଇ ବନ୍ଧମୁଣ୍ଡା ଥାନାରେ ଏତଲା ହେବାପରେ ପୁଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି। ତେବେ ଜାମି ନାମଞ୍ଜୁର ହେବାକୁ ତାକୁ ରାଉରକେଲା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ହେଉଛି ବନ୍ଧମୁଣ୍ଡା ଡି-କ୍ୟାବିନର ମଧୁସୂଦନ ଦାସ (୩୯)। ଅଭିଯୁକ୍ତ ପାଖରୁ ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି।

ଅଭିଯୁକ୍ତ ମଧୁସୂଦନ ନିଜକୁ ନକ୍ସଲ ସଂଗଠନର ଜଣେ ସକ୍ରିୟ ସଦସ୍ୟଭାବେ ପରିଚୟ ଦେଇ ବନ୍ଧମୁଣ୍ଡାର ଜଣେ ଔଷଧ ଦୋକାନିଙ୍କୁ ୬ ଲକ୍ଷ ଯଙ୍କା ଦାଦାବଟି ମାଗିଥିଲା। ଔଷଧ ଦୋକାନି ପ୍ରଥମେ ଏଡ଼ାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବାରମ୍ବାର ଧମକ ଦେବାରୁ ସେ ଭୟଭୀତ ହୋଇପଡ଼ିଥିଲେ। ଔଷଧ ବ୍ୟବସାୟୀ ବନ୍ଧମୁଣ୍ଡା ପୁଲିସ୍‌ର ଦ୍ବାରସ୍ଥ ହୋଇଥିଲେ। ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାକୁ ଜାଲ ବିଛାଇଥିଲା। ସୋମବାର ଅପରାହ୍ନ ପ୍ରାୟ ୩ଟା। ଯୋଜନାମୁତାବକ ଔଷଧ ଦୋକାନି ୫୦ ହଜାର ଟଙ୍କା ଧରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲେ। ଅଭିଯୁକ୍ତକୁ ଅଗ୍ରୀମ ବାବଦକୁ ୫୦ ହଜାର ଟଙ୍କା ଦେଉଥିବାବେଳେ ପୁଲିସ କାବୁ କରିନେଇଥିଲା। ପୁଲିସ ଅଭିଯୁକ୍ତ ପାଖରୁ ନଗଦ ୫୦ ହଜାର ଟଙ୍କା ସହ ୨ଟି ମୋବାଇଲ, ମନିପର୍ସ‌୍ ଜବତ କରିଛି।

Spread the love