ଜଣେ ସରଳ ମଣିଷ ଥିଲେ ପତିପାବନ ମିଶ୍ର, ପଦାର୍ଥବିଜ୍ଞାନ କ୍ଷେତ୍ରରେ ଗବେଷଣା କରୁଥିଲେ: ଆକାଶ ଦାସନାୟକ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର ପତିପାବନ ମିଶ୍ର ମେମୋରିଆଲ୍‌ ସ୍ମାର୍ଟ ଶ୍ରେଣୀଗୃହ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇ ଶ୍ରେଣୀଗୃହକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ଦାସନାୟକ କହିଲେ, ସମାଜକୁ କଲେଜ ଓ ବିଶ୍ୱବିଦ୍ୟାଳୟ ସହ ଯୋଡି କଲେଜର ବିକାଶ କରିବା ଦିଗରେ ଆମେ ଆଉ ଏକ ପାଦ ଆଗକୁ ଯାଇଛୁ । ରେଭେନ୍ସାରେ ପ୍ରଫେସର ପତିତପାବନ ମିଶ୍ରଙ୍କ ସ୍ମୃତିରେ ଏକ ସ୍ମାର୍ଟ ଶ୍ରେଣୀଗୃହ ତିଆରି ହୋଇଛି । ଜଣେ ସରଳ ମଣିଷ ଥିଲେ ପ୍ରଫେସର ମିଶ୍ର । ପଦାର୍ଥବିଜ୍ଞାନ କ୍ଷେତ୍ରରେ ସେ ସର୍ବଦା ଗବେଷଣା କରୁଥିଲେ । ବିଶ୍ୱବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀଙ୍କ ଜୀବନକୁ ସେ ଗଢ଼ିଥିଲେ । ତାଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟରେ ଏକ ସ୍ମାର୍ଟ ଶ୍ରେଣୀଗୃହ କରିବାକୁ ପ୍ରଫେସର ମିଶ୍ରଙ୍କ ଝିଅ ଶ୍ରୀମତି ପ୍ରଭାତି ମିଶ୍ର ଓ ଡ. ପ୍ରଣତୀ ମିଶ୍ର ଏବଂ ପୁଅ ରଞ୍ଜନ ମିଶ୍ର ଓ ପ୍ଲାଜମନ୍‌ ମିଶ୍ର ଅର୍ଥ ଅନୁଦାନ ଦେଇଥିଲେ । ଏହାପରେ ‘ମୋ କଲେଜ’ ପକ୍ଷରୁ ଏହି ଅର୍ଥରାଶିର ଦୁଇଗୁଣା ଅର୍ଥ ପ୍ରକଳ୍ପ ପାଇଁ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ଦାସନାୟକ କହିଲେ, ଦେଶ ଓ ଜାତିର ଅଗ୍ରଗତି ପାଇଁ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜ୍ଞାନ ଆଉ ବିଜ୍ଞାନକ୍ଷେତ୍ରରେ ଆମେ ଯେତିକି ଯେତିକି ବିକାଶ କରିବା ଆମ ରାଜ୍ୟ ଓ ଦେଶର ସେତିକି ଅଭିବୃଦ୍ଧି ହୋଇଚାଲିବ । ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଜ୍ଞାନକୁ ସୀମିତ ନରଖି ପ୍ରତିଟି କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ । ଏହା ସହ ପୁରାତନ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଶ୍ରୀ ଦାସନାୟକ କହିଲେ, ଆଗାମୀ ଦିନରେ ରେଭେନ୍ସାର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ନିଜ ଅନୁଷ୍ଠାନ ସହ ଯୋଡି ହୋଇ ଏହାର ସର୍ବାଙ୍ଗୀନ ବିକାଶ କରିବାକୁ ପ୍ରୟାସ କରନ୍ତୁ ।

କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ କହିଲେ, ପଦାର୍ଥବିଜ୍ଞାନ କ୍ଷେତ୍ରରେ ପ୍ରଫେସର ପତିତପାବନ ମିଶ୍ରଙ୍କ ନୂଆ ନୂଆ ଚିନ୍ତାଧାରା ଏବଂ ବିଶ୍ୱବିଦ୍ୟାଳୟ ଓ ପଦାର୍ଥବିଜ୍ଞାନ ବିଭାଗର ବିକାଶ ଲାଗି ତାଙ୍କର ଅବଦାନ ପାଇଁ ସେ ସର୍ବଦା ମନେ ରହିବେ । ଏହା ସହ ପ୍ରଫେସର ନାୟକ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ‘ମୋ କଲେଜ’ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଲାଗି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ଆର୍‌.ଏନ୍‌ ମିଶ୍ର ଯୋଗଦେଇ ପ୍ରଫେସର ପତିତପାବନ ମିଶ୍ରଙ୍କ ଆତ୍ମଜୀବନୀ ପଢ଼ିଥିଲେ । ପ୍ରଫେସର ଶିବବ୍ରତ ଦାସ ଧନ୍ୟବାଦ ଦେଇଥିଲେ ।

Spread the love